ଆମେରିକା ବୈଜ୍ଞାନିକଙ୍କ ଦାବି । ଦ୍ୱିତୀୟ ଥର କରୋନା ସଂକ୍ରମଣ ଅତ୍ୟନ୍ତ ବିରଳ । ଥରେ ସଂକ୍ରମଣ ହେଲେ ଶରୀରରେ ସୃଷ୍ଟି ହୁଏ ରୋଗ ପ୍ରତିରୋଧକ ଶକ୍ତି । ଦ୍ୱିତୀୟ ଥର ହେଉଥିବା ସଂକ୍ରମଣ ନଗଣ୍ୟ ।

1,066

କନକ ବ୍ୟୁରୋ : ଥରେ କରୋନା ମୁକ୍ତ ହେଲେ ପୁଣିଥରେ ସଂକ୍ରମଣ ହୋଇଥାଏ କି? ଯଦି ହୋଇଥାଏ ତେବେ କେତେ ଦିନ ପରେ ହୋଇଥାଏ? ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି । କାରଣ ଯଦି ଦ୍ୱିତୀୟ ବାର କରୋନା ହେଉଥିବା କଥା ସତ ତେବେ କରୋନା ସମ୍ପୂର୍ଣ୍ଣ ଭାବେ କେବେ ଯିବ, ତାହା କଳ୍ପନା କରିବା ମୁସକିଲ୍ । ହେଲେ ଆମେରିକାର ବୈଜ୍ଞାନିକମାନେ ଦ୍ୱିତୀୟ ବାର କରୋନା ସଂକ୍ରମଣ ନେଇ ଗବେଷଣାର ତଥ୍ୟ ସାମନାରେ ରଖିଛନ୍ତି ।

ଆମେରିକା ବୈଜ୍ଞାନିକଙ୍କ କହିବାନୁସାରେ କରୋନାରେ ସଂକ୍ରମିତ ହୋଇଥିବା ଲୋକେ ଥରେ କରୋନା ମୁକ୍ତ ହେବା ପରେ ପୁଣି ଥରେ ହେବା ଅତ୍ୟନ୍ତ ବିରଳ । ସମଗ୍ର ବିଶ୍ୱରେ ଗୁରୁବାର ସୁଦ୍ଧା ୩୮୮ ଲକ୍ଷ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ମାତ୍ର ୫ଟି କେସରେ ପୁଣି ଥରେ ସଂକ୍ରମଣ ହୋଇଛି ।

ଯଦି ସମଗ୍ର ବିଶ୍ୱର ସଂକ୍ରମଣ ହାରକୁ ଦେଖାଯାଏ ତେବେ ଦ୍ୱିତୀୟ ବାର ସଂକ୍ରମଣ ହେବା ନେଇ ଯେଉଁ ସଂଖ୍ୟା ଆସିଛି ତାହା ଅତି ନଗଣ୍ୟ । ଶରୀରରେ ଗୋଟିଏ ନୂଆ ଭୂତାଣ ପ୍ରବେଶ କଲା ପରେ ଆମ ଶରୀରରେ ଏହି ଭୂତାଣୁକୁ ସାମନା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଯାଏ ।

ଦ୍ୱିତୀୟ ଥର ପାଇଁ ଯଦି ଆପଣଙ୍କ ଶରୀରରେ କରୋନାର ଲକ୍ଷଣ ଦେଖାଯାଏ ତାହାର ଅର୍ଥ ନୁହେଁ ଶରୀରରେ ଦ୍ୱିତୀୟ ଥର ଭୂତାଣୁ ପ୍ରବେଶ କରିଛି । ଶରୀରରେ ପ୍ରଥମେ ପ୍ରବେଶ କରିଥିବା ଭୂତାଣୁ ପୁଣି ଥରେ ଲକ୍ଷଣ ଦେଖାଇ ପାରେ । ଡାକ୍ତରଙ୍କ ପରାମର୍ଶ ହେଉଛି ଯଦି ଆପଣଙ୍କୁ ଥରେ ସଂକ୍ରମଣ ହୋଇଛି ଏବଂ ଆପଣ ଏଥିରୁ ମୁକ୍ତ ରହିଛନ୍ତି, ତେବେ ସଂକ୍ରମଣରୁ ମୁକ୍ତ ହେବା ପରେ ମଧ୍ୟ ମାସ୍କ ପିନ୍ଧିବା ଛାଡନ୍ତୁ ନାହିଁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । କାରଣ ଏହି ଭାଇରସକୁ କେହି ସମ୍ପୂର୍ଣ୍ଣ ଭାବରେ ଜାଣି ପାରି ନାହାଁନ୍ତି ।