କନକ ବ୍ୟୁରୋ :କାବୁଲରେ ଡ୍ରୋନ ଆଟାକ କରି କ୍ଷମା ମାଗିଲା ଆମେରିକା । ଗୁଇନ୍ଦା ରିପୋର୍ଟ ଭୁଲ୍ ବୋଲି ପ୍ରମାଣିତ ହେବାରୁ ଏପରି ଅନିଚ୍ଛାକୃତ ଭୁଲ୍ ହୋଇଛି ବୋଲି ଆମେରିକା କହିଛି । ଆମେରିକାର ଏହି ଡ୍ରୋନ ଆଟାକାରେ କାବୁଲରେ ୧୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ଆଇଏସଆଇଏସ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବାକୁ ଯାଇ ଏଭଳି ଭୁଲ୍ ହୋଇଛି ବୋଲି ଆମେରିକାର ସେଣ୍ଟ୍ରାଲ କମାଣ୍ଡ କମାଣ୍ଡର ଜେନେରାଲ କେନେଥ ମ୍ୟାକେନଞ୍ଜି କହିଛନ୍ତି । ସେହିପରି ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ମଧ୍ୟ ସାଧାରଣ ନାଗିରକଙ୍କ ମୃତ୍ୟୁ ପାଇଁ ଦଃଖ ପ୍ରକାଶ କରିଛନ୍ତି । ଯେଉଁ ଭୁଲ ହୋଇଛି ତାହା ଆଗାମୀ ଦିନରେ ପୁନରାବୃତ୍ତି ହେବନି ବୋଲି ସେ କହିଛନ୍ତି । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ ଆମେରିକା ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି ।
ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକାର ୨୦ ବର୍ଷର ଯୁଦ୍ଧରେ ଉକ୍ତ ଆକ୍ରମଣ ହେଉଛି ଗୋଟାଏ ଭୟବହ ଅବସାନ। କାବୁଲ୍ ବିମାନ ବନ୍ଦର ଆକ୍ରମଣ କରିବା ସନ୍ଦିଗ୍ଧ ‘ଆଇଏସ୍’ ଆତଙ୍କବାଦୀମାନଙ୍କର ଉଦ୍ଦେଶ୍ୟ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ଗୁଇନ୍ଦା ସୁନିଶ୍ଚିତ କରି କହିଥିଲା ବୋଲି ‘ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍’ର ଉଚ୍ଚସ୍ତରୀୟ କମାଣ୍ଡର୍ ଜେନେରାଲ୍ କେନିଥ୍ ମ୍ୟାକ୍କେଞ୍ଜି କହିଛନ୍ତି । ତଦନ୍ତ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ମ୍ୟାକ୍କେଞ୍ଜି କହିଲେ, ଉପରୋକ୍ତ ଆକ୍ରମଣ ଗୋଟାଏ ମାରାତ୍ମକ ଭୁଲ୍। ଗୁଇନ୍ଦା ରିପୋର୍ଟକୁ ଆଧାର କରି ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଉକ୍ତ ‘ଧଳା ଟୋୟୋତା କୋରୋଲା’ କାର୍ ଉପରେ ଆମେରିକୀୟ ସେନା ଦୃଷ୍ଟି ରଖିଥିଲା ।
ଉକ୍ତ କାର୍ର ଗତିବିଧିକୁ ଲକ୍ଷ୍ୟ କରି ଆମେ ଆକ୍ରମଣ କଲୁ । କିନ୍ତୁ, ସେ ‘ଧଳା ଟୋୟୋତା କୋରୋଲା’ ସମ୍ବନ୍ଧରେ ଆମ ଗୁଇନ୍ଦା ଦେଇଥିବା ରିପୋର୍ଟ ଭୁଲ୍ ବୋଲି ସ୍ପଷ୍ଟ ହୋଇଯାଇଛି । ଏକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍ ଅଷ୍ଟିନ୍ ନିହତମାନଙ୍କ ପରିବାରବର୍ଗଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ନିହତମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା । ଆମେ କ୍ଷମାଭିକ୍ଷା କରୁଛୁ। ଏଭଳି ଭୟାବହ ଭୁଲ୍ରୁ ଆମେ ଶିକ୍ଷା ଲାଭ କରିବାକୁ ଚେଷ୍ଟା କରିବୁ ।