ବଦଳିଲା ଟ୍ରମ୍ପଙ୍କ ନିଷ୍ପତ୍ତି । ପ୍ୟାରିସ ଆକର୍ଡକୁ ଫେରିଲା ଆମେରିକା, ବିଶ୍ୱ ଜଳବାୟୁ ପରିବର୍ତନ ଚୁକ୍ତିରେ ସାମିଲ ଅଛନ୍ତି ବିଶ୍ୱର ୧୯୫ ଦେଶ ।

119

କନକ ବ୍ୟୁରୋ : ପ୍ୟାରିସ କ୍ଲାଇମେଟ୍ ଆକର୍ଡ ବା ପ୍ୟାରିସ ଜଳବାୟୁ ଚୁକ୍ତିକୁ ଫେରିଲା ଆମେରିକା । ଏହି ଚୁକ୍ତିରୁ ଟ୍ରମ୍ପ ପ୍ରଶାସନ ଓହରି ଯାଇଥିବା ବେଳେ ଏହି ନିଷ୍ପତିକୁ ବଦଳାଇଛନ୍ତି ବାଇଡେନ୍ ପ୍ରଶାସନ । ବିଶ୍ୱ ଜଳବାୟୁ ସଂକଟରେ ପଡିଥିବା ବେଳେ ଏହାର ସୁରକ୍ଷା ପାଇଁ ୨୦୧୫ରେ ପ୍ୟାରିସ ଜଳବାୟୁ ଚୁକ୍ତିି ହୋଇଥିଲା । ୧୯୫ଟି ଦେଶ ଏଥିରେ ଯୋଗ ଦେଇଥିଲେ । ବ୍ୟାପକ ଶିଳ୍ପକରଣ ଯୋଗୁଁ ଜଳବାୟୁ ସଂକଟକୁ ମିଳିତ ଭାବେ ମୁକାବିଲା କରିବା ପାଇଁ ଏହି ଅନ୍ତର୍ଜାତୀୟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ତେବେ ଗତବର୍ଷ ନଭେମ୍ବର ମାସରୁ ଏଥିରୁ ଓହରି ଯାଇଥିଲା ଆମେରିକା । ଏହାର ତିନି ମାସ ପରେ ପୁଣି ଥରେ ଏହି ଚୁକ୍ତିିରେ ସାମିଲ ହୋଇଛି । ଜଳବାୟୁ ସଂକ୍ରାନ୍ତ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଜନ୍ କେରୀ କହିଛନ୍ତି, କୌଣସି ଦେଶ ଏକକ ଭାବେ ଜଳବାୟୁ ସଂକଟର ସାମ୍ନା କରିପାରିବ ନାହିଁ । ତେଣୁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ଚଳିତ ବର୍ଷ ଗ୍ଲାସଗୋ ଠାରେ ହେବାକୁ ଥିବା ଜାତିସଂଘ ଜଳବାୟୁ ସମ୍ମିଳନୀକୁ ସଫଳ କରିବା ପ୍ରଥମ ଲକ୍ଷ୍ୟ ହେବ ବୋଲି କହିଛି ଆମେରିକା । ପ୍ୟାରିସ କ୍ଲାଇମେଟ୍ ଆକର୍ଡରେ ପୁଣିଥରେ ଆମେରିକା ଯୋଗ ଦେବ ବୋଲି ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ତାଙ୍କର ନିର୍ବାଚନ ପ୍ରଚାର ବେଳେ ଆମେରିକାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।