କରୋନା ଟୀକାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି । ଜନସନ୍ ଏଣ୍ଡ ଜନସନ ପକ୍ଷରୁ ପ୍ରସ୍ତୁତ ଟୀକା ଏବେ ଶେଷ ପାହାଚରେ । ଗୋଟିଏ ଡୋଜ ହିଁ କରୋନାକୁ କରିବା ନାଶ  

1,906

କନକ ବ୍ୟୁରୋ : ଜନସନ ଏଣ୍ଡ ଜନସନ ତାର କରୋନା ଟୀକା ବିଷୟରେ ଘୋଷଣା କରିଛି । ହ୍ୱାଇଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜନସନ ଏଣ୍ଡ ଜନସନ କମ୍ପାନୀ କରୋନା ଟୀକା ପରୀକ୍ଷଣରେ ଅନ୍ତିମ ପର୍ଯ୍ୟାୟରେ ପହଂଚିଥିବା ସେ ସୂଚନା ଦେଇଛନ୍ତି ।

ସାରା ବିଶ୍ୱ ଏବେ କରୋନା ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ଆମେରିକୀୟ କମ୍ପାନୀ ଜନସନ ଏଣ୍ଡ ଜନସନ୍ ଲୋକଙ୍କୁ ଏକ ଖୁସି ଖବର ଦେଇଛି । କମ୍ପାନୀ ଦାବି କରିଛି ଯେ ସେ ପ୍ରସ୍ତୁତ କରୁଥିବା କରୋନା ଟୀକାର ପରୀକ୍ଷଣ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ଟୀକା ଏବେ କିଛି ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରାଯାଇଥିବା ବେଳେ ଏହା ସଫଳ ହୋଇଥିବା କଥା କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ କହିଛି କି ପ୍ରସ୍ତୁତ ହେଉଥିବା ଟୀକାର କେବଳ ଗୋଟିଏ ଡୋଜ ଲୋକ ମାନଙ୍କ ଉପରେ ପ୍ରଭାବ ପକାଇବ ।

ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି କି ଆମେରିକାର ପ୍ରତ୍ୟେକ ଚତୁର୍ଥ ନାଗରିକ ଜଣେ ଜଣେ ସ୍ୱେଚ୍ଛାସେବୀ । କରୋନା ଟୀକା ପରୀକ୍ଷଣ ପାଇଁ ସେମାନେ ଆଗକୁ ଆସି ନାମ ଲେଖାଇବାକୁ ସେ ଅନୁରୋଧ କରିଥିଲେ । ଏହାସହ ସେ ଆହୁରି କହିଛନ୍ତି କି ଆମେ ଆମେରିକା ଇତିହାସରେ ଦୃତତମ ଅର୍ଥନୈତିକ ସଂସ୍କାରକୁ ଆମେ ଆଗେଇ ନେଇଛୁ । ଆମର ଆଭିମୁଖ୍ୟ ବିଜ୍ଞାନକୁ ସମର୍ଥନ କରୁଛି । ଏହି ସଭାରେ ସେ ଆଗାମୀ ନିର୍ବାଚନରେ ତାଙ୍କର ପ୍ରତିଦ୍ୱନ୍ଦି ହେବାକୁ ଥିବା ଜୋ ବିଡେନକୁ ମଧ୍ୟ ଆକ୍ରମଣ କରିଥିଲେ ।

ସେ କହିଥିଲେ କି ତାଙ୍କର ଦର୍ଶନ ବା ଆଦର୍ଶ କଣ ତାହା ମୁଁ ଜାଣେ ନାହିଁ । ଜୋ ବିଡେନ ଯେଭଳି ଭାବେ ଚୀନ୍ ଓ ୟୁରୋପ ଯାତ୍ରା ଉପରେ ହୋଇଥିବା ନଷେଧାଦେଶକୁ ବିରୋଧ କରୁଛନ୍ତି ତାଙ୍କର କୌଣସି ଲକଡାଉନ ନଥିବା ଭଳି ମନେ ହେଉଛି । ସେ ଆହୁରି କହିଛନ୍ତି କି ଆମର ଯୋଜନା କରୋନା ଭୂତାଣୁକୁ ଭାଙ୍ଗିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜୋ ବିଡେନଙ୍କ ଯୋଜନା ଆମେରିକାକୁ ସମ୍ପୁର୍ଣ୍ଣ ଚୂର୍ଣ୍ଣ କରିଦେବ ।

ଉଲ୍ଲେଖନୀୟ ବିଷୟ ହେଉଛି ଫାର୍ମାସ୍ୟୁଟିକାଲ କମ୍ପାନୀ ଜନସନ୍ ଏଣ୍ଡ ଜନସନ୍ କୋଭିଡ-୧୯ ପାଇଁ ଯେଉଁ ଟୀକା ପ୍ରସ୍ତୁତ କରାଯାଉଛି ତାହାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଂଚିସାରିଛି । କମ୍ପାନୀ ତା’ର ଏକ ବିବୃତ୍ତିରେ କହିଛି କି ଏହି ଟୀକାର ଏକକ ଡୋଜ ପ୍ରଭାବଶାଳୀ କି ନୁହେଁ ତାହାର ପରୀକ୍ଷା କରାଯିବ ।

ଏଯାଏ ସାରା ବିଶ୍ୱରେ କୋଭିଡ ଟୀକା ନେଇ କରାଯାଉଥିବା ସର୍ବେକ୍ଷଣରେ ଏହା ସବୁଠାରୁ ବଡ ସର୍ବେକ୍ଷଣ । ଏହା ଅଧିନରେ ଆମେରିକା, ଦକ୍ଷିଣ ଆଫ୍ରିକା,ଆର୍ଜେଣ୍ଟିନା, ବ୍ରାଜିଲ୍, ଚିଲି, କଲମ୍ବିଆ, ମେକ୍ସିକୋ, ଓ ପେରୁର ୬୦ ହାଜର ଲୋକଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ । ବର୍ଷ ଶେଷ ସୁଦ୍ଧା ଏହି ଟୀକା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ଆଶା କରିଛି ।