କନକ ବ୍ୟୁରୋ : ତାଲିବାନକୁ ଝଟକା ଦେଇପାରେ ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ୩୧ ଅଗଷ୍ଟ ସୁଦ୍ଧା ନିଜ ସବୁ ସୈନିକଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ ଆମେରିକା । ହେଲେ ଏହା ତାଲିବାନୀଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ଏହା ସହ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆବଶ୍ୟକ ପଡିଲେ ୩୧ ଅଗଷ୍ଟ ପରେ ମଧ୍ୟ ନିଜ ସୈନିକଙ୍କୁ କାବୁଲରେ ରଖାଯାଇପାରେ । ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୈନିକଙ୍କୁ ଆଫଗାନିସ୍ତାନ ଛାଡିବା ନେଇ ତାଲିବାନର ଚେତାବନୀ ପରେ ବାଇଡେନଙ୍କ ଏପରି ବୟାନ୍ ଆସିଛି ।

Advertisment

ଜୋ ବାଇଡେନ୍ ଜି-୭ ବୈଠକରେ ସାମିଲ ହୋଇଥିଲେ । ଏଥିରେ ସେ ଏପରି ପ୍ଲାନ୍ ସଂପର୍କରେ କହିଛନ୍ତି । ସାରା ବିଶ୍ୱ ତାଲିବାନ ବିରୋଧରେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ରାଷ୍ଟ୍ରପତି କହିଛନ୍ତି । ହ୍ୱାଇଟ୍ ହାଉସ୍ରେ ସେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଜି-୭, ୟୁରୋପୀୟ, ୟୁନିୟନ୍, ନାଟୋ ଓ ମିଳିତ ଜାତିସଂଘ ତାଲିବାନ ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ସହମତ ହୋଇଛନ୍ତି । ଆମେରିକା ସେନା କାବୁଲ ଏୟାରପୋର୍ଟରେ ରେସକ୍ୟୁ ଅପରେସନ୍ ଜାରି ରଖିଛି ।

ବର୍ତ୍ତମାନ ସୁଦ୍ଧା କାବୁଲ ଏୟାରପୋର୍ଟରୁ ୭୦ ହଜାରରୁ ଅଧିକ ଲୋକଙ୍କୁ ରେସ୍କ୍ୟୁ କରିଛନ୍ତି । ଏୟାରଲିଫ୍ଟ ପ୍ରକ୍ରିୟା ଅଗଷ୍ଟ ଶେଷ ସୁଦ୍ଧା ଶେଷ କରିବାକୁ ତାଲିବାନ ଚେତାବନୀ ଦେଇଛି । ଏହା ପରେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ତାଲିବାନ ମୁଖପାତ୍ର କହିଥିଲେ । ଏହାରି ଭିତରେ ତାଲିବାନ ଚେତାବନୀ ଦେଇଛି ଯେ ଏବେ କୌଣସି ଆଫଗାନିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ଦିଆଯିବ ନାହିଁ ।