ଆମେରିକା ନେଲା କାବୁଲ୍ ବିସ୍ଫୋରଣର ପ୍ରତିଶୋଧ : ଆକାଶମାର୍ଗରୁ ହମଲା କରି କାବୁଲ ବିସ୍ଫୋରଣକାରୀଙ୍କୁ କଲା ଟାର୍ଗେଟ

539

କନକ ବ୍ୟୁରୋ : କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଇଛି ଆମେରିକା । ମିଳିଥିବା ସୂଚନା ଅନୁସାରେ ଆଇଏସଆଇଏସ ଖୋରାସାନର ଆଡ୍ଡା ଉପରେ ଆକ୍ରମଣ କରିଛି ଆମେରିକା ସେନା । ଡ୍ରୋନ ଜରିଆରେ ଏକାଧିକ ଏୟାର ଷ୍ଟ୍ରାଇକ କରାଯାଇଥିବା ନେଇ ସୂଚନା ମିଳିଛି । କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣର ଷଡଯନ୍ତ୍ରକାରୀଙ୍କୁ ଆମେରିକା ସେନାର ମାନବବିହୀନ ଡ୍ରୋନ ଟାର୍ଗେଟ କରିଥିବା କୁହାଯାଉଛି । ଆଫଗାନିସ୍ତାନର ନାନଗାହାର ପ୍ରଦେଶରେ ଏହି ଡ୍ରୋନ ଆକ୍ରମଣ କରିଛି ଆମେରିକା ସେନା । ଏୟାରଷ୍ଟ୍ରାଇକ କରି ଷଡ ଯନ୍ତ୍ରକାରୀଙ୍କୁ ନିପାତ କରାଯାଇଥିବା ସୂଚନା ଦେଇଛି ଆମେରିକା ସେନାର ସେଂଟ୍ରାଲ କମାଣ୍ଡ ।

କାବୁଲ ବିସ୍ଫୋରଣ ପରେ ଆତଙ୍କବାଦୀଙ୍କୁ ଛଡାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେପଟେ କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୭୦ରେ ପହଂଚିଛି । ଏମାନଙ୍କ ଭିତରେ ୧୩ ଜଣ ଆମେରିକା ସୈନିକ ଅଛନ୍ତି । ଏହାପରେ ଆମେରିକୀୟ ନାଗରିକମାନଙ୍କୁ କାବୁଲ ବିମାନବନ୍ଦର ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି । ଏପରିକି ଆମେରିକୀୟମାନେ ତୁରନ୍ତ କାବୁଲ ବିମାନବନ୍ଦର ଛାଡି ଚାଲିଯିବାକୁ କୁହାଯାଇଛି । ବିଶେଷ କରି ଆମେରିକାର ଏୟାରଷ୍ଟ୍ରାଇକ ପରେ ଅଧିକ ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରାଯାଉଛି ।