ଆମେରିକା ନେଲା କାବୁଲ ବିସ୍ଫୋରଣର ପ୍ରତିଶୋଧ । ଆତଙ୍କୀ ଆଡ୍ଡାରେ କଲା ଡ୍ରୋନ୍ ଆକ୍ରମଣ କଲା ଆମେରିକା, ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ସମେତ ଅନେକ ଆତଙ୍କବାଦୀ ମୃତାହତ ସୂଚନା ।

557

କନକ ବ୍ୟୁରୋ : କାବୁଲ ବିମାନବନ୍ଦର ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା । ଆଇଏସଆଇଏସ ଖୋରାସାନ ଆତଙ୍କୀଙ୍କ ଆଡ୍ଡା ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି । ନଗରହାର ପ୍ରାନ୍ତରେ ଥିବା ଆଇଏସଆଇଏସ-କେର ଆଡ୍ଡା ଉପରେ ଡ୍ରୋନ ଜରିଆରେ ଘନ ଘନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ କାବୁଲ ବିସ୍ଫୋରଣର ଷଡଯନ୍ତ୍ରକାରୀ ଓ ଆଇଏସଆଇଏସ ନେତା ନିପାତ ହୋଇଥିବା ଦାବି କରିଛି ଆମେରିକା ।

ଆମେରିକା ନେଲା କାବୁଲ ବିସ୍ଫୋରଣର ପ୍ରତିଶୋଧ । ୨୪ ଘଣ୍ଟା ଭିତରେ ଷଡଯନ୍ତ୍ରକାରୀକୁ ନିପାତ । କାବୁଲ ବିମାନବନ୍ଦର ବିସ୍ଫୋରଣ ଦିନକପରେ ପ୍ରତିଶୋଧ ନେଇଛି ଆମେରିକା । ବିସ୍ଫୋରଣର ୨୪ ଘଣ୍ଟା ନପୁରୁଣୁ ବାଇଡେନ ପ୍ରଶାସନ ଆଇଏସଆଇଏସ-ଖୁରାସନ ଆତଙ୍କୀଙ୍କ ଆଡ୍ଡାକୁ ଉଡାଇ ଦେଇଛି । ପାକିସ୍ତାନ ସୀମାରେ ଥିବା ନଗରହାର ପ୍ରାନ୍ତରେ ଥିବା ଆଇଏସଆଇଏସ-କେର ଆଡ୍ଡା ଉପରେ ମାନବ ବିହୀନ ଡ୍ରୋନରେ ଏୟାର ଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ କାବୁଲ ବିସ୍ଫୋରଣର ଷଡଯନ୍ତ୍ରକାରୀ ଓ ଆଇଏସଆଇଏସ ନେତା ନିପାତ ହୋଇଥିବା ଦାବି କରିଛି ଆମେରିକା । କାବୁଲ ଏୟାରପୋର୍ଟରେ ଆତ୍ମଘାତୀ ହମଲାର ଜବାବ ଦିଆଯାଇଛି । ବିସ୍ଫୋରଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ପରେ ଆତଙ୍କୀ ସଂଗଠନକୁ କ୍ଷମା କରାଯିବନି ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ସେପଟେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନ ଛାଡି ଚାଲିଯିବାକୁ ଆମେରିକା ଓ ନାଟୋ ସେନାକୁ କଣ୍ଟ ଦେଇଛି ତାଲିବାନ । ତେଣୁ ସହଯୋଗ କରି ଆସୁଥିବା ଆଫଗାନ ବାସିନ୍ଦାଙ୍କ ସମେତ ନିଜ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଜୋର ଲଗାଇ ଦେଇଛି ଆମେରିକା । ୨ ସପ୍ତାହ ମଧ୍ୟରେ ୧ଲକ୍ଷ ୧୧ ହଜାର ନାଗରିକଙ୍କୁ ଉଦ୍ଧାର କରିଥିବା ସୂଚନା ଦେଇଛି ପେଂଟାଗନ । ସେପଟେ ତାଲିବାନ ଭୟରେ ପାକିସ୍ତାନ ଚାଲିଯିବାକୁ ବାହାରିଥିବା ହଜାର ହଜାର ଆଫଗାନ ନାଗରିକଙ୍କ ଭିଡ ଚମନ ବର୍ଡର, ସ୍ପିନବୋଲଡାକରେ ଦେଖିବାକୁ ମିଳିଛି ।

କାବୁଲରେ ଏୟାରପୋର୍ଟରେ ପୁଣି ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ସତର୍କ କରାଇ ଦେଇଛି ଆମେରିକା ଗୁଇନ୍ଦା ସଂସ୍ଥା । ତେଣୁ ଅଘଟଣ ଏଡାଇବାକୁ ସୁରକ୍ଷା କଡାକଡି କରିବା ସହ ବିମାନ ବନ୍ଦରର ପୂର୍ବ, ଉତ୍ତର ଓ ନ୍ୟୁ ମିନିଷ୍ଟ୍ରି ଅଫ୍ ଇଂଟରିୟର ଗେଟ ଦେଇ ଆସିବାକୁ ଆଡଭାଇଜରି ଜାରି କରିଛି ଆମେରିକା ଦୂତାବାସ ।

ସେପଟେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ମୌଲାନା ମାସୁଦ ଅଜହର କାବୁଲରେ ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ଭେଟି ଶୁଭେଚ୍ଛା ଜଣାଇଛି । ଏଥିସହ କାଶ୍ମୀରରେ ଲଢେଇ ପାଇଁ ମାସୁଦ ତାଲିବାନଙ୍କୁ ସହଯୋଗ ମାଗିଥିବା ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେଣୁ ତାଲିବାନୀଙ୍କ ଆଫଗାନ ଦଖଲ ପରେ ଭାରତ ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି ।