ଉତ୍ତରପ୍ରଦେଶରେ ଲାଗୁ ହେଲା ଲଭ୍ ଜେହାଦ୍ ଆଇନ୍। ସରକାର ଆଣିଥିବା ଅଧ୍ୟାଦେଶ ଉପରେ ମୋହର ଲଗାଇଲେ ରାଜ୍ୟପାଳ

1,604

କନକ ବ୍ୟୁରୋ : ଉତ୍ତରପ୍ରଦେଶ ରେ ଲଭ୍ ଜେହାଦକୁ ନେଇ ରାଜ୍ୟସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଅଧ୍ୟାଦେଶ ଉପରେ ମୋହର ଲଗାଇଛନ୍ତି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ । ଯାହା ଫଳରେ ଉତ୍ତରପ୍ରଦେଶରେ ଆଜିଠାରୁ ଲଭ୍ ଜେହାଦ ଆଇନ୍ ଲାଗୁ ହୋଇଛି ।
କହିରଖୁ କି ଗତ ମଙ୍ଗଳବାର (୨୪ ନଭେମ୍ବର) ଦିନ ଉତ୍ତରପ୍ରଦେଶ କ୍ୟାବିନେଟ୍ ରେ ଲଭ୍ ଜେହାଦକୁ ନେଇ ଆସିଥିବା ଅଧ୍ୟାଦେଶକୁ ମଞ୍ଜୁରୀ ମଳିଥିଲା । ଏହାପରେ ଏହାକୁ ପାରିତ କରିବାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା । ଆଜି ରାଜ୍ୟପାଳ ଏହି ଅଧ୍ୟାଦେଶ ଉପରେ ମୋହର ଲଗାଇଛନ୍ତି । ଏବେ ୬ ମାସ ମଧ୍ୟରେ ଏହି ଅଧ୍ୟାଦେଶକୁ ରାଜ୍ୟସରକାର ବିଧାନସଭାର ପାରିତ କରିବାକୁ ପଡିବ ।

UP Prohibition of Unlawful Conversion of Religion Ordinance 2020  ମୁତାବକ ଉତ୍ତରପ୍ରଦେଶରେ କୌଣସି ଲୋକ ପ୍ରେମକରି ବା କାହାକୁ ଭ୍ରମିତ କରି ଧର୍ମ ବଦଳାଇଲେ ତାଙ୍କୁ ୧୦ ବର୍ଷ ଯାଏ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ । ଏହାସହ ସହମତି ଭିତ୍ତିରେ ଧର୍ମ ପରିବର୍ତ୍ତନ କରିବାକୁ ଯଦି କୌଣସି ବ୍ୟକ୍ତି ଇଚ୍ଛା ପ୍ରକାଶ କରିବେ ତେବେ ୨ ମାସ ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କୁ ସୂଚନା ଦେବାକୁ ପଡିବ । ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର ଲଭ୍ ଜେହାଦ ବିରୋଧରେ ଆଇନ ଆଣିବାକୁ ଅନେକ ଥର ଘୋଷଣା କରିଥିଲେ । ସେ କହିଥିଲେ କି ଲୋଭ ଦେଖାଇ, ଚାପ ପକାଇ, କିମ୍ବା ଧମକ ଦେଇ ହେଉଥିବା ଧର୍ମ ପରିବର୍ତ୍ତନକୁ ବନ୍ଦ କରାଯାଇପାରିବ ।
ୟୁ.ପି ସରକାର ଆଣିଥିବା ଅଧ୍ୟାଦେଶ ମୁତାବକ ଯଦି କୌଣସି ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ଭ୍ରମିତ କରି ବା ଧୋକ୍କା ଦେଇ ଧର୍ମପରିବର୍ତ୍ତନ କରିବାକୁ ବାଧ୍ୟ କରିବ ତେବେ ଆଇନ ଅନୁସାରେ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ସହ ୧ ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଯଦି ଅନୁସୂଚିତ ଜାତି ବା ଜନଜାତିର ନାବାଳିକା କିମ୍ବା ମହିଳାଙ୍କ ସହିତ ଏଭଳି କରାଯିବ ତେବେ ଅପରାଧୀଙ୍କୁ ୨୫ ହଜାର ଟଙ୍କା ଜରିମାନା ସହିତ ୩ ରୁ ୧୦ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ।
ୟୁ.ପି ସରକାରରେ ମନ୍ତ୍ରୀ ଥିବା ସିଦ୍ଧାର୍ଥନାଥ ସିଂ କହିଛନ୍ତି କି ୟୁ.ପି କ୍ୟାବିନେଟରେ ଏଭଳି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିବା ପରେ ରାଜ୍ୟରେ କାନୁନ୍ ବ୍ୟବସ୍ଥାର ସୁଧାର ଆସିବ । ଏହାସହ ପ୍ରେମ କରିବା ନାମରେ ଚାଲିଥିବା ଧର୍ମପରିବର୍ତ୍ତନରୁ ହିନ୍ଦୁ ମହିଳା ଓ ନାବାଳିକା ମାନଙ୍କୁ ସୁରକ୍ଷା ଦିଆଯାଇ ପାରିବ ।