ଦୁଇ ବର୍ଷ ପରେ ସ୍କୁଲ ଆସିଲେ ଛୋଟ ପିଲା, ପାଠ ପଢାକୁ ନେଇ ପିଲା, ଅଭିଭାବକ ଉତ୍ସାହିତ ।

56

କନକ ବ୍ୟୁରୋ: ଦୁଇ ବର୍ଷ ପରେ ଖୋଲିଛି ପ୍ରାଥମିକ ବିଦ୍ୟାଳୟ । ବହି ବସ୍ତାନୀ ଧରି ସ୍କୁଲ ଯାଇଛନ୍ତି ଛୋଟ ପିଲା । ଦୀର୍ଘ ଦିନ ଧରି ଖାଁ ଖାଁ ପଡିଥିବା ସ୍କୁଲ ପରିସର ପିଲାଙ୍କ ହସଖୁସିରେ ମୁଖରିତ ହୋଇଛି । ସାରା ରାଜ୍ୟରେ ଦୁଇ ବର୍ଷ ପରେ ଖୋଲିଛି ପ୍ରାଥମିକ ବିଦ୍ୟାଳୟ । ଦୀର୍ଘ ଦିନ ପରେ ବହି ବସ୍ତାନୀ ଧରି ସ୍କୁଲ ଆସିଛନ୍ତି କୁନି କୁନି ପିଲା । ସ୍କୁଲ ଖୋଲିଥିବାୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କେବଳ ପିଲା ନୁହେଁ ସ୍କୁଲ ଛାଡିବାକୁ ଆସିଥିବା ଅଭିଭାବକମାନେ ମଧ୍ୟ ଉତ୍ସାହିତ ଅଛନ୍ତି । ଡ୍ରମ ବାଜୁଛି, ପିଲାଙ୍କୁ ସ୍କୁଲ ପରିସରରେ ସ୍ୱାଗତ କରି ଶ୍ରେଣୀ ଗୃହକୁ ଛଡାଯାଉଛି । ବିଭିନ୍ନ ସ୍କୁଲରେ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଉପହାର ଦେଇଥିବା ଦେଖିବାକୁ ମିଳିଛି ।

ଦୁଇ ବର୍ଷ ହେଲା ଖାଁ ଖାଁ ହୋଇପଡିଥିବା ସ୍କୁଲ ଚଳଚଂଚଳ ହୋଇପଡିଛି । କୁନି କୁନି ପିଲାଙ୍କ ହସ ଖୁସି ଓ କୋଳାହଳରେ ପରିପୂର୍ଣ୍ଣ ହୋଇ ଉଠିଛି ସ୍କୁଲ ପରିସର । ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ବିଭିନ୍ନ ଆକ୍ଟିଭିଟି କରାଯିବ । ଗପ ଲେଖିବା, କହିବା ଭଳି କାର୍ଯ୍ୟକ୍ରମ କରି ହସଖୁସିର ମାହୌଲରେ ପାଠ ପଢାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଖୋଲିଛି, କିନ୍ତୁ କରୋନା ସଂକ୍ରମଣ ଯାଇ ନାହିଁ । ତେଣୁ କୁନି କୁନି ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସ୍କୁଲରେ କୋଭିଡ କଟକଣା କଡାକଡି ଭାବେ ପାଳନ କରାଯାଉଛି ।