ଦୁଇବର୍ଷ ପରେ ବଡଦାଣ୍ଡରେ ହେଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜନସମୁଦ୍ର ହେଲା ପୁରୀ।

110

କନକ ବ୍ୟୁରୋ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବିରଳ ଦୃଶ୍ୟକୁ ଅପେକ୍ଷା କରିଥିଲା ସାରା ବିଶ୍ୱ । ଭକ୍ତଙ୍କୁ ଦର୍ଶନ ଦେବାକୁ ଓହ୍ଲାଇ ଆସିଥିଲେ ମହାବାହୁ । ଆନନ୍ଦ ବଜାର ଦେଇ ପହଣ୍ଡି ହୋଇଆସୁଥିଲେ ଚତୁର୍ଦ୍ଧାମୁରତି । ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ ବାଇଶପାହାଚରେ ପହଣ୍ଡି ହୋଇଆସିବାର ଅନନ୍ୟ ଦୃଶ୍ୟ ଦେଖି ଅଧିର ହୋଇ ଉଠୁଥିଲେ ଭକ୍ତ । ଧୀରେ ଧୀରେ ବଡଦାଣ୍ଡକୁ ପହଣ୍ଡି ହୋଇଆସିଥିଲେ ଜଣଙ୍କ ପରେ ଜଣେ ଠାକୁର । ଟାହିଆ ହଲୁଥାଏ, ଘଂଟଘଂଟାରେ ପ୍ରକମ୍ପିତ ହେଉଥାଏ ପୂରା ପରିବେଶ । ଚାରିଆଡେ ଶୁଭୁ ଥାଏ ଜୟ ଜଗନ୍ନାଥର ଧ୍ୱନି । ହରିବୋଲ ଧ୍ୱନିରେ ରଥ, ପଥ ଓ ଜଗନ୍ନାଥ ସବୁ ହୋଇଯାଇଥିଲା ଏକାକାର । ନିର୍ଦ୍ଧାରତ ସମୟର ୩ ଘଂଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ।

ପରମ୍ପରା ଅନୁସାରେ ବଡଦାଣ୍ଡରେ ଚାଲିଥାଏ ଓଡିଶୀ ନୃତ୍ୟ । ଏହି ନୃତ୍ୟ ବିଶ୍ୱବିଧାତାଙ୍କୁ ସ୍ୱାଗତ କରିବା ପାଇଁ । ଦେବତାଙ୍କ ରୂପରେ ନିଜକୁ ସଜାଇ ଭକ୍ତମାନେ ବୁଲୁଥାନ୍ତି । ପୂରା ବଡଦାଣ୍ଡ ହୋଇ ଉଠିଥିଲା ଜଗନ୍ନାଥମୟ । ଭଗବାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରୁ, ଦେଶ ବାହାରୁ ବି ଛୁଟି ଆସିଛନ୍ତି ଭକ୍ତ । ବଡ଼ଦାଣ୍ଡର ଜନସମୁଦ୍ରକୁ ଦେଖିଲେ ଲାଗୁଥିଲା ସତେ ଯେମିତି ଏଇଠି ଏକାଠି ହୋଇଯାଇଛି ସାରା ବିଶ୍ୱ । ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷରେ ବିରାଜମାନ କରିଥିଲେ ଚତୁର୍ଦ୍ଧାମୂର୍ତି । ଭକ୍ତମାନଙ୍କ ଭିଡ଼ ବଢ଼ି ଚାଲିଥିଲା, ସମସ୍ତଙ୍କ ମନରେ ଉକ୍ରଣ୍ଠା ବି ବଢୁଥିଲା । ଗୋଟିଏ ପରେ ଗୋଟିଏ ନୀତି ଶେଷ ହେଉଥିଲା । ରଥ ଉପରେ ଛେରାପହଁରା ପାଇଁ ସୁସଜ୍ଜିତ ପାଲିଙ୍କି ତାମ୍ୟାନ୍ରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରାପହଁରା । ରଥଯାତ୍ରା ଉତ୍ସବରେ ଛେରାପହଁରାର ଗୁରୁତ୍ୱ ଅନେକ । ଏହି ପରମ୍ପରା ନେଇ ଯେଉଁ କିମ୍ବଦନ୍ତୀ ରହିଛି, ତାହା ସମସ୍ତଙ୍କ ଜଗନ୍ନାଥ ପ୍ରେମୀଙ୍କୁ ଆନମନା କରିଦିଏ । ଏହି ପରମ୍ପରା ଜଣାଇଦିଏ, ଭଗବାନ ଆଗରେ ରାଜା ହୁଅନ୍ତୁ କି ସେବକ ସମସ୍ତ ସମାନ । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥରେ ସୁନା ଖଡ଼ିକାରେ ଛେରାପହଁରା କରିଥିଲେ ଗଜପତି । ଏହି ଦୃଶ୍ୟ ଦେଖି ବିମୋହିତ ହୋଇ ଉଠିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ଏହା ପରେ ତିନି ରଥରେ ଘୋଡା ଯୋଚା ଯାଇଥିଲା । ଆଉ ସମସ୍ତେ ଅପେକ୍ଷା କରି ରହିଥିଲେ ସେହି ଦୁର୍ଲଭ ମୁହୂର୍ତକୁ, ଯାହାକୁ ଦେଖିଲେ ଜନ୍ମ ଜନ୍ମର ପାପତାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ରଥଟଣା ।

ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କିଛି ସୁରୁଖୁରୁରେ ହେଉଥିଲା । ରଥଟଣା ବି ଆରମ୍ଭ ହୋଇଥିଲା ପ୍ରାୟ ୩ ଘଂଟା ପୂର୍ବରୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା । ଅତି ଉତ୍ସାହରେ ରଥକୁ ଟାଣି ନେଇଥିଲେ ଭକ୍ତ । ପରେ ମା’ ସୁଭଦ୍ରାଙ୍କ ରଥ ଗଡ଼ିଥିଲା । ଭାଇ-ଭଉଣୀଙ୍କ ପରେ ବଡ଼ ଦାଣ୍ଡରେ ଘର୍ଘର ନାଦରେ ଗଡ଼ିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଏହି ମୁହୂର୍ତ ଥିଲା ପ୍ରତ୍ୟେକ ଭକ୍ତଙ୍କ ସବୁଠୁ ପ୍ରତିକ୍ଷୀତ ମୁହୂର୍ତ । ହଟିଆ ଠାକୁର କାଳିଆ ରଥ ଉପରେ, ଆଉ ଭକ୍ତଙ୍କ ହାତରେ ଥିଲା ରଥ ଦଉଡି । ଉତ୍ସାହ ଓ ଉକ୍ରଣ୍ଠା ଚରମ ସୀମାରେ ପହଁଚିଥିଲା । ବଡ଼ଦାଣ୍ଡ ଫାଟି ପଡୁଥିଲା । ଭାଇ-ଭଉଣୀଙ୍କୁ ଧରି ଜନ୍ମଭୂମି ଅଭିମୁଖେ ଯାଇଥିଲେ ବଡ଼ ଠାକୁର । ଭାବବିହ୍ୱଳ ହୋଇ ଉଠିଥିଲେ ଭକ୍ତ ।

ବିଶ୍ୱନିୟନ୍ତାଙ୍କ ରଥଯାତ୍ରା ଦେଖିବା ପାଇଁ କାହିଁ କେଉଁଆଡୁ ଭକ୍ତଙ୍କ ସୁଅ ଛୁଟିଥିଲା ଶ୍ରୀ କ୍ଷେତ୍ରକୁ । ହାତ ଯୋଡି ବ୍ୟାକୁଳ ମନରେ ମନର ଠାକୁରଙ୍କ ଦର୍ଶନ କରୁଥିଲେ ଭକ୍ତ । ଆଉ ଲୋକାରଣ୍ୟ ହୋଇ ଉଠିଥିଲା ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର । ଭାବର ଠାକୁରଙ୍କୁ ପାଖରେ ପାଇଁ ଭକ୍ତଙ୍କ ଖୁସି କହିଲେ ନସରେ ।