ରାଉରକେଲା ଷ୍ଟିଲପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ । ଆଇଜିଏଚ୍ ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ୨ଜଣ

93

କନକ ବ୍ୟୁରୋ: ଶିଳ୍ପ ମାନଙ୍କର ବେପରୁଆ ପରିଚାଳନା ଫଳରେ ପ୍ରତିବର୍ଷ ଶହ ଶହ କର୍ମଚାରୀଙ୍କ ସଂସାର ଉଜୁଡି ଯାଉଥିବା ଦେଖିବାକୁ ମିଳିଛି  । ଏହି କ୍ରମରେ ଓଡିଶାର ସର୍ବବୃହତ ଇସ୍ପାତ ଶିଳ୍ପ ରାଉରକେଲା ଷ୍ଟିଲପ୍ଲାଣ୍ଟ (ଆରଏସପି) ରେ ଗ୍ୟାସ ଲିକ୍ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକଙ୍କ ସ୍ଥିତି ସଂକଟାପନ୍ନ ଥିବା ସୂଚନା ମିଳିଛି ।

ସୂଚନା ମୁତାବକ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇପଡିଥିଲେ । ଆଜି ଗୁରୁତର ମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ସେମାନେ ବି ଆଇଜିଏଚ୍ ରେ ଚିକିତ୍ସାଧିନ ରହିଛନ୍ତି ।

କହିରଖୁ କି ଶିଳ୍ପ ବା କାରଖାନାରେ କାମ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ଠାରୁ କେନ୍ଦ୍ରସରକାର ଯାଏ ଅନେକ ଆଇନ ଲାଗୁ କରିଛନ୍ତି   । ହେଲେ ଶିଳ୍ପ ସଂସ୍ଥାର ମାଲିକ ମାନେ ଏହାକୁ କାଗଜପତ୍ରରେ ସିନା ମାନୁଥିବାର ଦର୍ଶାଉଛନ୍ତି ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା ରହୁଛି । କିଛି ଉଚ୍ଚପଦସ୍ଥ କର୍ମଚାରୀଙ୍କ ପାଇଁ ଦୈନିକ କେଉଁଠି ନା କେଉଁଠି କାର୍ଯ୍ୟରତ ଅବସ୍ଥାରେ ଶ୍ରମିକ ମାନଙ୍କର ମୃତ୍ୟୁ ହେଉଛି । ଏହା ପରେ ୟୁନିୟନ ମାନଙ୍କର ହୋ ହାଲ୍ଲା ଚାଲିବ । ଶେଷରେ ବାଧ୍ୟ ହୋଇ କମ୍ପାନୀ ପକ୍ଷରୁ ମୃତକ ବା ଆହତ ମାନଙ୍କୁ କିଛି ଆର୍ଥିକ ସହାୟତା ମିଳିବ । ବାସ ମୁଦ୍ଦା ଥଣ୍ଡା ପଡିଯିବ । ହେଲେ ଅଘଟଣ ପାଇଁ ଦାୟୀ କର୍ମଚାରୀଙ୍କୁ ନା ଦଣ୍ଡ ମିଳିବ ନା ମୃତ ବା ଦିବ୍ୟାଙ୍କ ହୋଇଯାଇଥିବା ଶ୍ରମିକର ପରିବାରରେ ଫେରି ଆସିବ ସୁଖ ବା ଶାନ୍ତି ।