ଜୀବନ ସାଥୀ ହେବେ ଦୁଇ ମହିଳା ଡାକ୍ତର । ନାଗପୁରରେ ନିର୍ବନ୍ଧ ପରେ ଏବେ ଗୋଆରେ କରିବେ ବିବାହ ।

221

କନକ ବ୍ୟୁରୋ: ପ୍ରେମ ଆଗରେ ଦୁନିଆଁର ସବୁ ପ୍ରତିବନ୍ଧକ ହାର ମାନିଛି । ପରିସ୍ଥିତି ଯେତେ ଜଟିଳ ହେଉନା କାହିଁକି ଶେଷରେ ପ୍ରେମୀଙ୍କର ଜିତାପଟ୍ ହୁଏ । ଏମିତି ଏକ ଅପ୍ରତ୍ୟାଶିତ ପ୍ରେମକୁ ନେଇ ଏବେ ଚର୍ଚ୍ଚା । ଏମିତି ପ୍ରେମ ଯାହାକୁ ସହଜରେ ଗ୍ରହଣ କରିପାରେନା ଆମ ସମାଜ । ତଥାପି ସମାଜର ନିନ୍ଦାକୁ ଭୃକ୍ଷେପ ନକରି ସାତ ଜନମ ପାଇଁ ସାଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି ଦୁଇ ପ୍ରେମୀ । ସେ ପୁଣି ଦୁଇ ଝିଅ । ଦୁଇଜଣ ପେସାରେ ଡାକ୍ତର । ମହାରାଷ୍ଟ୍ର ନାଗପୁରର ଏହି ଦୁଇ ମହିଳା ଡାକ୍ତରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଦୁହେଁ ଦୁହିଁଙ୍କୁ ଜୀବନ ସାଥୀ ଭାବେ ବାଛିନେଇଛନ୍ତି । ଏହି ଦୁଇ ମହିଳା ଡାକ୍ତର ନିକଟରେ ନିର୍ବନ୍ଧ କରିସାରିଛନ୍ତି । ଖୁବ ଶିଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ।

ପ୍ରଥମ ଦେଖାରେ ପ୍ରେମ , ତା ପରେ ନିର୍ବନ୍ଧ ଏବେ ହେବ ବିବାହ । ହେଲେ କୌଣସି ପୁଅ ଝିଅଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ଝିଅଙ୍କ ମଧ୍ୟରେ । ଦୁଇଜଣ ଡାକ୍ତର । ମହାରାଷ୍ଟ୍ର ନାଗପୁରରେ ଗତ ସପ୍ତାହରେ ଦୁଇ ମହିଳା ଡାକ୍ତରଙ୍କ ନିର୍ବନ୍ଧକୁ ନେଇ ଏବେ ଚାରିଆଡେ ଆଲୋଚନା । ଦୁହେଁ ସାରା ଜୀବନ ଏକାଠି ବାଟ ଚାଲିବାକୁ ନେଇଛନ୍ତି ଶପଥ । ନିର୍ବନ୍ଧ ପରେ ଏବେ ବିବାହ ପାଇଁ କରୁଛନ୍ତି ପ୍ରସ୍ତୁତି । ଏହି ଦୁଇ ମହିଳା ହେଉଛନ୍ତି ଡାକ୍ତର ପାରୋମିତା ମୁଖାର୍ଜୀ ଓ ଡାକ୍ତର ସୁରଭି ମିତ୍ରା ।

ପୁଅଙ୍କ ପରି ଦେଖାଯାଉଥିବା ଡାକ୍ତର ପରୋମିତା କୁହନ୍ତି ୨୦୧୩ ମସିହାରେ ତାଙ୍କର ବାପା, ମା’ ତାଙ୍କର ଜେଣ୍ଡର ଓରିଏଣ୍ଟେସନ୍ ବିଷୟରେ ଜାଣିଥିଲେ । ହେଲେ ସେମାନେ ଯେତେବେଳେ ତାଙ୍କ ଝିଅ ବନ୍ଧୁୁଙ୍କ ସହ ବିବାହ କଥା ଶୁଣିଲେ ମାନସିକ ଆଘାତ ପାଇଥିଲେ । କିନ୍ତୁ ଅନେକ ବୁଝାସୁଝା କରିବା ପରେ ସେମାନେ ଏହି ବିବାହ ପାଇଁ ସହମତି ଦେଇଥିଲେ । ଅନ୍ୟପଟେ କିନ୍ତୁ ଡାକ୍ତର ସୁରଭି ମିତ୍ରାଙ୍କ ପରିବାର ଲୋକେ ଏହି ବିବାହ ପାଇଁ ତାଙ୍କୁ ସମର୍ଥନ ଜଣାଇଥିଲେ । ବରଂ ପରୋମିତାଙ୍କ ସହ ବିବାହ କଥା ଶୁଣି ବେଶ ଖୁସି ହୋଇଥିଲେ । ଡାକ୍ତର ସୁରଭି ଜଣେ ମନୋସ୍ତତ୍ତେ୍ୱା ବିତ୍ । ତେଣୁ ଜଣେ ମନସ୍ତତ୍ତ୍ୱବିତ ହିସାବରେ ଜୀବନକୁ ଦ୍ୱନ୍ଦ୍ୱରେ ନପାଇ ବରଂ ଏପରି ଏକ ବଡ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଉଚିତ ମନେ କରିଥିବା କୁହନ୍ତି ସୁରଭି ।

ଗତ ମାସରେ ତେଲେଙ୍ଗାନାର ଦୁଇ ପୁରୁଷ ବନ୍ଧୁ ଧୁମଧାମରେ ବିବାହ କରିଥିଲେ । ଏହା ଥିଲା ତେଲେଙ୍ଗାନାର ପ୍ରଥମ ସମଲିଙ୍ଗି ବିବାହ । ଏହି ବିବାହରେ ଦୁହିଁଙ୍କ ପରିବାର ଲୋକେ ସାମିଲ ହୋଇଥିଲେ । ଏହି ଦୁଇ ବନ୍ଧୁ ଥିଲେ ସୁପ୍ରିମୋ ଚକ୍ରବର୍ତ୍ତି ଏବଂ ଅଭୟ ଡାଙ୍ଗ୍ । ଦୁହେଁ ଉଚ୍ଚ ପଦରେ ଅଧିଷ୍ଠିତ । ଏହାପରେ ଡାକ୍ତର ସୁରଭି ଓ ପରୋମିତାଙ୍କ ଏହି ସମଲିଙ୍ଗୀ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ।