ସଲମାନ ଖାନଙ୍କ ଫାର୍ମହାସରେ ସୁରକ୍ଷା ତ୍ରୁଟି । ନକଲି ପରିଚୟପତ୍ର ସହ ପାଚେରୀ ଡେଇଁ ପଶିଲେ ଦୁଇ ଦୁବୁର୍ତ

201

କନକ ବ୍ୟୁରୋ : ସଲମାନ ଖାନଙ୍କ ଫାର୍ମହାଉସରେ ପଶିଲେ ଦୁଇ ଦୁବୁର୍ତ୍ତ । ମିଳିଲା ନକଲି ପରିଚୟପତ୍ର । ଦୁବୁର୍ତଙ୍କୁ ତୁରନ୍ତ ଗିରଫ କଲେ ସଲମାନଙ୍କ ସୁରକ୍ଷାକର୍ମୀ । ସୋମବାର ଅଭିନେତାଙ୍କ ପନଭେଲ ଫାର୍ମହାଉସରେ ସେତିକିବେଳେ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ ଦୁଇ ଦୁବୁର୍ତଙ୍କୁ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ । ଫାର୍ମହାଉସ ପାଚେରୀ ଡେଇଁ ଏମାନେ କାହିଁକି ପଶିଲେ, କ’ଣ ଥିଲା ଉଦ୍ଦେଶ୍ୟ ଏହି ପ୍ରଶ୍ନ ଭିତରେ ତୁରନ୍ତ ଦୁଇଜଣଙ୍କୁ କାବୁ କରି ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଜେରା ସମୟରେ ଅଭିଯୁକ୍ତ କହିଛନ୍ତି ସଲମାନଙ୍କୁ ଭେଟିବା ତାଙ୍କ ଉଦ୍ଦେଶ୍ୟ ଥିଲା । ଘରୁ ଝଗଡ଼ା କରି ମୁମ୍ବାଇ ପହଁଚିଥିଲେ । ପ୍ରିୟ ଅଭିନେତାଙ୍କୁ ଭେଟିବା ମୌକା ନମିଳିବାରୁ ଫାର୍ମହାଉସରେ ଅନୁପ୍ରବେଶ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ଗୋଟେ ପଟେ ଜେରା ଚାଲିଥିବାବେଳେ ସେପଟେ ଘଟଣା ପଛର କାରଣ ଖୋଜୁଛି ମୁମ୍ବାଇ ପୁଲିସ । ମିଳିଥିବା ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କ ନାଁ ଅଜେଶ କୁମାର ଗିଲଓ ଗୁରୁସେବକ । ଅଜେଶ ରାଜସ୍ଥାନର ଓ ଗୁରୁସେବକ ପଂଜାବର ବୋଲି ଜଣାପଡିଛି । ଏହି ଘଟଣା ଜାନୁଆରୀ ୪ ତାରିଖରେ ବୋଲି କହିଛି ପୁଲିସ ।

୨୦୨୩ ମସିହାରେ ସଲମାନଙ୍କୁ ଦୁଇ ଦୁଇ ଥର ହତ୍ୟା ଧମକ ମିଳିଥିଲା । ୧୮ମାର୍ଚ୍ଚ, ୨୦୨୩ । ସଲମାନଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଇ-ମେଲ । ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଂଜଲକରଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଇ-ମେଲ । ଏହି ମେଲ ରୋହିତ ଗର୍ଗ ନାମକ ବ୍ୟକ୍ତି ପଠାଇଥିଲେ । ପରେ ଏପ୍ରିଲ ୩୦ରେ ମୁମ୍ବାଇ ପୁଲିସ କଂଟ୍ରୋଲ ରୁମକୁ ଏକ ଧମକଭରା କଲ ଆସିବାପରେ ଅଭିନେତାଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା ।

୧୯୯୮ ମସିହାର ଘଟଣାକୁ ନେଇ ସଲମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏବଂ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାଡ୍ । ୧୯୯୮ ମସିହାରେ ଯୋଧପୁରରେ ଚଳଚ୍ଚିତ୍ର ‘ହମ୍ ସାଥ ସାଥ ହୈ’ ସୁଟିଂ ସମୟରେ କୃଷ୍ଣସାର ମୃଗ ଶିକାର କରିଥିଲେ ସଲମାନ । ଏହାପରଠୁ ତାଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି ।