କନକ ବ୍ୟୁରୋ : ଭାରତୀୟ ରେଳ ପାଇଁ ଶୁକ୍ରବାର ଐତିହାସିକ ଦିନ ହେବାକୁ ଯାଉଛି । କାରଣ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଟ୍ରେନ ମଧ୍ୟରେ ଧକ୍କା କରିବାକୁ ପ୍ରୟାସ କରାଯିବ । କିନ୍ତୁ ଏହାକୁ ସୁରକ୍ଷା ଦେବ ସ୍ୱଦେଶୀ କବଚ । ଭରସା ରହିଛି ଯେ, ଯେତେ ପ୍ରତିକୂଳ ପରିସ୍ଥିତି ହେଉ ନା କାହିଁକି ଏହି ସ୍ୱଦେଶୀ କବଚ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେବାକୁ ଦେବ ନାହିଁ । ଆଉ ପରୀକ୍ଷଣର ସତ୍ୟତା ପରଖିବାକୁ ଗୋଟିଏ ଟ୍ରେନରେ ବସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟଟିରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ବସିବେ ।

Advertisment

ରେଳ ମନ୍ତ୍ରାଳୟ ଦୀର୍ଘ ବର୍ଷ ଧରି ଏହି ଜ୍ଞାନକୌଶଳକୁ ବିକଶିତ କରି ଆସୁଥିଲା । ଆଉ ଆଜି ହାଇଦ୍ରାବାଦର ସିକନ୍ଦରାବାଦରେ ଏହି ଜ୍ଞାନକୌଶଳର ପରୀକ୍ଷଣ କରାଯିବ । ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଜ୍ଞାନକୌଶଳ ଏତେ ସଠିକ୍ ଯେ ଯଦି ଦୁଇଟି ଟ୍ରେନ ସାମ୍ନାସାମ୍ନି ହେଲେ ମଧ୍ୟ ପରସ୍ପର ମଧ୍ୟରେ ଧକ୍କା ହେବନି । କାରଣ ଲାଲ ସିଗନାଲ ପାର ହେବା ମାତ୍ରେ ହିଁ ଟ୍ରେନରେ ଆପଣାଛାଏଁ ବ୍ରେକ ଲାଗିବ । ଏହାଛଡା ପାଞ୍ଚ କିଲୋମିଟର ପରଧିରେ ଥିବା ଟ୍ରେନ ଗୁଡିକ ମଧ୍ୟ ଆପଣାଛାଏଁ ଅଟକିଯିବ । ଆଉ ଏହାସହ ପଛରୁ ଆସୁଥିବା ଟ୍ରେନର ଧକ୍କାରୁ ମଧ୍ୟ କବଚ ସୁରକ୍ଷା ଦେବ । ଚଳିତ ସାଧାରଣ ବଜେଟରେ ୨୦,୦୦୦ କିଲୋମିଟର ରେଳ ନେଟୱର୍କ, ଇଞ୍ଜିନ ଓ ରେଳ ଷ୍ଟେସନରେ କବଚ ଜ୍ଞାନକୌଶଳର ବ୍ୟବହାର ହେବ । ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-କୋଲକାତା, ଦିଲ୍ଲୀ-ଚେନ୍ନାଇ, ଚେନ୍ନାଇ-କୋଲକାତା ଭଳି ବ୍ୟସ୍ତ ରୁଟରେ ଏହି ଜ୍ଞାନକୌଶଳର ବ୍ୟବହାର କରାଯିବ । ଆଗାମୀ ୨୦୨୪ ସୁଦ୍ଧା କବଚ ଜ୍ଞାନକୌଶଳର ବ୍ୟବହାର ପୂରା କରିବାକୁ ରେଳ ବିଭାଗ ପକ୍ଷରୁ ଆଶା ରଖାଯାଇଛି ।

କେବଳ ଏତିକି ନୁହେଁ କବଚ ଜ୍ଞାନକୌଶଳ ଟ୍ରେନ ଚାଲୁଥିବା ବେଳେ ଲୋକୋ ପାଇଲଟଙ୍କ ସମସ୍ତ କାର୍ଯ୍ୟକଳାପ ଯେପରିକି ବ୍ରେକ୍, ହର୍ଣ୍ଣ, ହ୍ୟାଣ୍ଡେଲ ଚଲାଉଥିବା ସମୟରେ ମନିଟରିଙ୍ଗ କରିଥାଏ ।ତେଣୁ ଡ୍ରାଇଭର ଯଦି କୌଣସି କାରଣରୁ ଅନମନସ୍କ ଥାଆନ୍ତି ତେବେ କବଚ ଜ୍ଞାନକୌଶଳ ପ୍ରଥମେ ଅଡିଓ-ଭିଡ଼ିଓ ମାଧ୍ୟମରେ ଆଲର୍ଟ କରିବ । କିନ୍ତୁ ଏଥିରେ ଡ୍ରାଇଭରଙ୍କର କୌଣସି ପ୍ରତିକ୍ରିୟା ନ ମିଳିଲେ ଚଳନ୍ତା ଟ୍ରେନରେ ଏହି ଜ୍ଞାନକୌଶଳ ବଳରେ ଆପଣାଛାଏଁ ବ୍ରେକ୍ ଲାଗିଯିବ । ଏହାଛଡା ଡ୍ରାଇଭର ଯଦି ନିର୍ଦ୍ଧାରିତ ବେଗ ଠାରୁ ଅଧିକ ବେଗରେ ଟ୍ରେନ୍ ଚଳାଉଥାନ୍ତି ତେବେ ମଧ୍ୟ ଏଥିରେ ଆପଣାଛାଏଁ ବ୍ରେକ ଲାଗିଯିବ ।