କନକ ବ୍ୟୁରୋ :ଦିଲ୍ଲୀରେ ପହଞ୍ଚିଛନ୍ତି ମୟୂରଭଞ୍ଜ ଜିଲ୍ଲାର ୨ ଜଣ ସାନ୍ତାଳୀ ଆଦିବାସୀ। ଦୁହେଁ ହେଲେ, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଅଧୀନସ୍ଥ ଧାନଘେରା ଗ୍ରାମପଞ୍ଚାୟତର ହାତୀ ସାହି ଗ୍ରାମର ଗଙ୍ଗାଧର ହେମ୍ବ୍ରମ୍ ଏବଂ ବେତନଟୀ ବ୍ଲକ୍ ସନ୍ତରା ପଞ୍ଚାୟତ ହୁତାପୁର ଗ୍ରାମର ମହିଳା ଜାପାନୀ ମାଝି। ଉଭୟ ଭିଆଇପି ଗ୍ୟାଲେରିରେ ବସି ୭୧ତମ ସାଧାରଣତନ୍ତ୍ର ଦିବସ ପରେଡ୍କୁ ଦେଖିବେ।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦେଶର ସବୁ ରାଜ୍ୟରୁ ୫୦ରୁ ଉର୍ଦ୍ଧ୍ବ ଆଦିବାସୀ ଅତିଥିମାନଙ୍କୁ ଚଳିତବର୍ଷର ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରିତ ଅତିଥି ତାଲିକାରେ ରହିଥିଲେ ଗଙ୍ଗାଧର ଓ ଜାପାନୀ। ଗଙ୍ଗାଧର ବୃତ୍ତିରେ ଜଣେ ପ୍ରଧାନ ଶିକ୍ଷକ ତଥା ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି। ସେହିଭଳି, ଜାପାନୀ ସମାଜସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁହେଁ ଅନ୍ୟ ଅତିଥିଙ୍କ ସହିତ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ୍ ଓ ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ଦେଖିବା ସହିତ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିସହିତ କାର୍ଯ୍ୟକ୍ରମ ଶେଷ ହେବା ପରେ ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଅତିଥିମାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯିବ।
ଦିଲ୍ଲୀରେ ପହଞ୍ଚିବା ପରେ ଦୁଇ ସାନ୍ତାଳୀ ଆଦିବାସୀ ବିଶେଷ ଭାବେ ଉତ୍ସାହିତ ଅଛନ୍ତି। ଭିଆଇପି ଗ୍ୟାଲେରିରେ ବସି ପରେଡ୍ ଦେଖିବା ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ସେମାନେ ବେଶ୍ ଖୁସି ଥିବା କହିଛନ୍ତି। ଦୁହେଁ ଆହୁରି ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଅବସରରେ ସେମାନଙ୍କର ଗାଁର ଉପଲବ୍ଧି ତଥା ଆବଶ୍ୟକତା ସମ୍ପର୍କରେ ଅବଗତ କରାଇବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Republic-Day-621x414.jpg)