କାମ କଲାନି ଗୋଟିଏ ପରିବାରରୁ ଦୁଇଟି ଟିକେଟ୍ ଫର୍ମୁଲା । ନିର୍ବାଚନ ହାରିଲେ ଏହି ସବୁ ନେତା…

548

କନକ ବ୍ୟୁରୋ: ରକ୍ତର ସଂପର୍କକୁ ସବୁଠୁ ବିଶ୍ୱସ୍ତ ସଂପର୍କ ବୋଲି କୁହାଯାଏ । ଆଉ ସେହି ବିଶ୍ୱାସ ଉପରେ ଭରସା କରି, ଆତ୍ମୀୟଙ୍କ ଉପରେ ଆସ୍ଥା ରଖିଥିଲେ ବଡ ବଡ ନେତା ଓ ଦଳ । ଗୋଟିଏ ଗୋଟିଏ ପରିବାରର ଏକାଧିକ ଟିକେଟ୍ ବାଣ୍ଟି ଦିଆଗଲା । ଗୋଟିଏ ଆସନରେ ବାପା ପ୍ରାର୍ଥୀ ହେଲେ, ଆଉ ଗୋଟିଏ ଆସନରେ ପୁଅକୁ ପ୍ରାର୍ଥୀ ହିସାବରେ ବସାଇ ଦିଆଗଲା । କେଉଁଠି ସ୍ୱାମୀ ପ୍ରାର୍ଥୀ ହେଲେ ତ ଆଉ କେଉଁଠି ସ୍ତ୍ରୀ ପ୍ରାର୍ଥୀ ହେଲେ । କିନ୍ତୁ ପରିବାରର ଏହି ବନ୍ଧନ ଜନତାଙ୍କ ବିଶ୍ୱାସ ଭାଜନ ହୋଇ ପାରିଲା ନାହିଁ । ଏଇ ଯେମିତି ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ ଥିବା ସୁଦାମ ମାର୍ଣ୍ଡିଂ ଏବଂ ବାଙ୍ଗିରିପୋଷି ଆସନରୁ ତାଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡି । ଏକାଧିକ ଥରର ବିଧାୟକ, ମନ୍ତ୍ରୀ ଓ ସାଂସଦ ହୋଇଥିବା ସୁଦାମ ନା ଗଡ ବଞ୍ଚାଇ ପାରେ ନା ଶିକ୍ଷକତାରୁ ରାଜନୀତିକୁ ଟାଣି ଆଣିଥିବା ପତ୍ନୀଙ୍କୁ ଜିତାଇ ପାରିଲେ ।

  • ଲୋକସଭାରୁ ଲଢୁଥିଲେ ପୁଅ
  • ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ ମାଆ

ପୁଅ, ୨୫ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ । ଦିବଙ୍ଗତ ନେତା ଅଶୋକ ଦାସ, ପୂର୍ବତନ ମନ୍ତ୍ରୀ, ଓଡିଶା ରାଜନୀତିର ଜଣେ ବିଚକ୍ଷଣ ରାଜନେତାଙ୍କ ସୁପୁତ୍ର । ତିନି ତିନି ଥର ବିଧାୟକ ହୋଇଥିବା ପ୍ରଣବ ପ୍ରକାଶ ଦାସ, ଏଥର ସମ୍ବଲପୁର ଲୋକସଭା ଆସନରୁ ଭାଗ୍ୟ ପରୀକ୍ଷା କରୁଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ଲଢି ପରାଜୟ ବରଣ କରିଛନ୍ତି । ସେପଟେ ମାଆ ସଂଧ୍ୟାରାଣୀ ଦାସଙ୍କ ବିଜୟ ଆଶା ମଧ୍ୟ ଧୂଳିସାତ ହୋଇଯାଇଛି । କୋରେଇରୁ ସଂଧ୍ୟାରାଣୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ବିଜେପିର ଯୁବ ଚେହେରା ତଥା ଅଭିନେତା ଆକାଶ ଦାସନାୟକଙ୍କ ସପକ୍ଷରେ ଯାଇଛି କୋରେଇ ଜନତାଙ୍କ ସମର୍ଥନ ।

  • ହାରିଗଲେ ବାପା
  • ସମ୍ମାନ ରଖିଲେ ପୁଅ

ପାରିବାରିକ ଟିକେଟ୍ ବଣ୍ଟାରେ କଂଗ୍ରେସ ବି ପଛରେ ପଡିନାହିଁ । ବାପା-ପୁଅଙ୍କୁ ଟିକେଟ୍ ଦେଇ କଳାହାଣ୍ଡିରେ ରେକର୍ଡ କରିବାର ଆଶା ରଖିଥିଲା ଦଳ । ହେଲେ ସେମିତି କିଛି ଘଟିଲା ନାହିଁ । କଂଗ୍ରେସ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ନର୍ଲାରୁ ପରାଜିତ ହୋଇଛନ୍ତି । ପୁଅ ସାଗର ଦାସ କିନ୍ତୁ ଭବାନୀପାଟଣାରୁ ସମ୍ମାନର ଲଢେଇରେ ବାଜି ମାରି ନେଇଛନ୍ତି । ବିଜେପିର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ଓ ବିଜେଡିର ଲତିକା ନାୟକଙ୍କୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଛନ୍ତି ସାଗର ।