ନଭେମ୍ବରରେ ଖୋଲିବ ମଣ୍ଡି । ହେଲେ ଏବେ ବି ଦୁଇ-ତୃତୀୟାଂଶ ମଣ୍ଡିରେ ନାହିଁ ସିସିଟିଭି । ଉଠିଲା ପ୍ରଶ୍ନ, ସରକାରଙ୍କ ନିୟମ କାହିଁକି ହେଉନି କାର୍ଯ୍ୟକାରୀ?

194

କନକ ବ୍ୟୁରୋ: ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କଲା । କିନ୍ତୁ ନିଷ୍ପତି ଏଯାଏଁ କାର୍ଯ୍ୟର୍କାରୀ ହେଲାନି । ରାଜ୍ୟର ଧାନ ମଣ୍ଡିଗୁଡକରେ ସିସିଟିଭି ଲଗାଇବାକୁ ସୁପାରିଶ ହୋଇଥିଲେ ଏହା ଏଯାଏଁ ଲାଗିପାରିଲାନାହିଁ । ଏହାକୁ କଡାକଡି ଭାବେ ପାଳନ କରିବା ନିର୍ଦ୍ଦେଶ କେବଳ କାଗଜ କଲମରେ ରହିଯାଇଛି । ଅଧିକାଂଶ ମଣ୍ଡିରେ ସିସିଟିଭି ନାହିଁ । ଆଉ ଯେଉଁଠି ଅଛି ସେଠାରେ କ୍ୟାମେରା କାମ କରୁନାହିଁ ।

  • ମଣ୍ଡିରେ ନାହିଁ ସିସିଟିଭି!
  • କାଗଜ କଲମରେ ସୀମିତ ରହିଛି ନିଷ୍ପତ୍ତି

ଚଳିତ ମାସରେ ଚାଷୀଙ୍କ ଠାରୁ ଧାନ କିଣିବେ ସରକାର । ଧାନର ଅଭାବୀ ବିକ୍ରି, ଦଲାଲି ରାଜ ଆଦି ରୋକି, ଚାଷୀଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ଅନେକ ନିୟମ କରାଯାଇଛି । ଧାନ କିଣାରେ ବାରମ୍ବାର ଅନିୟମିତତା ଅଭିଯୋଗ ପରେ ମଣ୍ଡିଗୁଡିକରେ ସିସିଟିଭି ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିଲେ । ଏପରିକି ଏହାକୁ କଡ଼ାକଡ଼ି ପାଳନ କରିବାକୁ ଯୋଗାଣ ଓ ସମବାୟ ବିଭାଗ ଜିଲ୍ଲା ପ୍ରଶାସନକୁ ତାଗିଦ କରିଥିଲେ । କିନ୍ତୁ ଯାହା ଜଣାପଡୁଛି, ଏହା କେବଳ କାଗଜ କଳମରେ ସୀମିତ ରହିଛି । ଅଧିକାଂଶ ମଣ୍ଡିରେ ଏପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲାଗିନାହିଁ । ଯେଉଁ କିଛି ମଣ୍ଡିରେ କ୍ୟାମେରା ଲାଗିଛି, ସେଥିରୁ ଅନେକ କାମ କରୁନଥିବା ଅଭିଯୋଗ ହେଉଛି । ନଜର ପକାନ୍ତୁ, ବିଧାନସଭାର ସ୍ଥାୟୀ କମିଟିର ଏହି ତଥ୍ୟ ଉପରେ…

  • ରାଜ୍ୟର ୩୪୫୭ ଧାନମଣ୍ଡି ମଧ୍ୟରୁ ମାତ୍ର ୧୨୦୨ ମଣ୍ଡିରେ ଲାଗିଛି ସିସିଟିଭି କ୍ୟାମେରା
  • ୨୨୫୫ ମଣ୍ଡିରେ ଏଯାଏଁ ଲାଗିନାହିଁ କ୍ୟାମେରା

ଏହା ସହ ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିଲେ …

  • ଧାନ ବିକ୍ରି କରିବା ପାଇଁ ଆସୁଥିବା ଚାଷୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା
  • ପ୍ରକୃତ ଚାଷୀ ଚିହ୍ନଟ କରିବା ସହ ଦଲାଲ ଉପରେ ନଜର ରଖିବା
  • ଯୋଗ୍ୟ ଚାଷୀଙ୍କୁ ଟୋକନରୁ ବଞ୍ଚିତ ନକରିବା

ବର୍ଷ ବର୍ଷ ଧରି ଧାନ ବିକିବାରେ ସମସ୍ୟା ଭୋଗନ୍ତି ଚାଷୀ । ଏହାକୁ ନେଇ ସାରା ରାଜ୍ୟରେ ଚାଷୀ ଅସନ୍ତୋଷର ଚିତ୍ର ମଧ୍ୟ ଆସିଥାଏ । ଏହାସତ୍ୱେ ସମସ୍ୟାର ସମାଧାନ ପାଇଁ ଯେତିକି ଆନ୍ତରିକତା ଆବଶ୍ୟକ, ତାହା ଦେଖିବାକୁ ମିଳୁନାହିଁ । ତେଣୁ ପ୍ରଶ୍ନ ଉଠୁଛି, ସରକାରଙ୍କ ନିୟମ କାହିଁକି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉନାହିଁ? କେତେଦିନ ଧରି ଧାନ ବିକିବା ବେଳେ ହନ୍ତସନ୍ତ ହେବେ ଚାଷୀ? ରାଜ୍ୟର ମଣ୍ଡି ବ୍ୟବସ୍ଥାରେ କେବେ ଆସିବ ସ୍ୱଚ୍ଛତା?