ଶ୍ରୀନଗରରେ ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ । ଅତି ପାଖରୁ ଦୁଇ ଶିକ୍ଷକଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ ।

138

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ । ଏଥର କୌଣସି ସୈନ୍ୟ ଆଡ୍ଡା କିମ୍ବା ସୁରକ୍ଷାବାହିନୀ ଉପରେ ନୁହେଁ ବରଂ ଏକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି ନିର୍ଦ୍ଦୟୀ ଆତଙ୍କବାଦୀ । ସ୍କୁଲର ଦୁଇ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ମହିଳା ପ୍ରିନସପାଲ ସତିନ୍ଦର କୌର ଓ  ଦୀପକ ଚାନ୍ଦ ପ୍ରାଣ ହରାଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଅତି ପାଖରୁ ଆତଙ୍କବାଦୀ ମାନେ ଅତି ନିର୍ଦ୍ଦୟ ଭାବେ ଉଭୟଙ୍କୁ ଗୁଳି ମାରିଛନ୍ତି । ମୁଣ୍ଡକୁ ଗୁଳି ମାରିବା ସହ ଉଭୟଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ହାଇସ୍କୁଲକୁ ଦୁଇ ଶିକ୍ଷକ ଆସି ପାଠ ପଢାଉଥିବା ବେଳେ ୨ରୁ ୩ ଜଣ ଆତଙ୍କବାଦୀ ସ୍କୁଲକୁ ଆସି ଉଭୟଙ୍କୁ ହତ୍ୟା କରିଛନ୍ତି ।

ଆତଙ୍କାବାଦୀ ମାନେ ଉଭୟ ଶିକ୍ଷକଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳ ଛାଡି ଫେରାର ହୋଇ ଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଆତଙ୍କବାଦୀଙ୍କୁ ଧରିବାକୁ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି । ଏହି ଆକ୍ରମଣ ସହ ଘାଟିରେ ଗତ କିଛି ଘଣ୍ଟା ମଧ୍ୟରେ ସପ୍ତମ ଥର ଆକ୍ରମଣ ହୋଇଛି । ଏପରିକି ମଙ୍ଗଳବାର ଗୋଟିଏ ଘଣ୍ଟା ମଧ୍ୟରେ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ, ଯେଉଁଥିରେ ୩ ଜଣ ସାଧାରଣ ଲୋକଙ୍କର ଜୀବନ ଚାଲି ଯାଇଥିଲା ।