କନକ ବ୍ୟୁରୋ: ମିଳିଲା ୨ ନାବାଳକ ଛାତ୍ର ନିଖୋଜଙ୍କ ଠିକଣା । ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ଉଭୟଙ୍କୁ ବେହୋସ କରି ଭୁବନେଶ୍ୱରରୁ ନିଆଯାଉଥିଲା ।

Advertisment

ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ଏହି ଦୁଇ ଛାତ୍ର ରାଜଧାନୀର ମର୍ଣ୍ଣଂ ଗ୍ଲୋରି ଇଂଲିଶ ମିଡିୟମ ସ୍କୁଲର । ଛାତ୍ର ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଏହାପରେ ଟିଟିଲାଗଡରୁ ଉଭୟଙ୍କୁ ଠାବ ହୋଇଛନ୍ତି । ଏବେ ଚନ୍ଦକା ପୋଲିସର ଟିମ୍ ଟିଟିଲାଗଡ ଯାଉଥିବା ସୂଚନା ରହିଛି । ଗତକାଲି ଦଶମ ଶ୍ରେଣୀର ଦୁଇ ଛାତ୍ର ପୃଥ୍ୱିରାଜ ପ୍ରଧାନ ଓ ସୋନୁ କୁମାର ସ୍କୁଲ ଆସିଥିଲେ । ରାତି ହୋଇଗଲା ପଛେ କିନ୍ତୁ ଘରକୁ ଫେରିନଥିଲେ । ଏହାପରେ ପିଲା ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜି ଖୋଜି କରିଥିଲେ । କିନ୍ତୁ କୌଣସି ଖୋଜ ଖବର ମିଳିନଥିଲା । ଏହା ପରେ ଦୁଇ ନାବାଳକଙ୍କ ପରିବାର ଲୋକେ ଚନ୍ଦକା ଥାନାର ଦ୍ୱାରସ୍ତ ହୋଇଥିଲେ । ଏବେ କିନ୍ତୁ ପ୍ରଶ୍ନ ହେଉଛି କେଉଁଠୁ ଦୁଇ ଛାତ୍ର ନିଖୋଜ ହୋଇଥିଲେ । ସ୍କୁଲ ଆସି ଘରକୁ ଫେରିବାବେଳେ ଅପହରଣର ଶିକାର ହୋଇଥିଲେ ନା ସ୍କୁଲକୁ ଆସିବା ପୂର୍ବରୁ ଅପହରଣ ହୋଇଥିଲେ ତାହା ଏବେ ଅସ୍ପଷ୍ଟ ରହିଛି ।