କଇଁଛଙ୍କ ଅଣ୍ଡାଦାନ ସମୟ । ପ୍ରଶାସନ ପକ୍ଷରୁ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ । ହେଲେ ଅଚଳ ହୋଇପଡିଛି ଦୁଇ ଦୁଇଟି ସ୍ପିଡ୍ ବୋଟ

33

କନକ ବ୍ୟୁରୋ: କଇଁଛଙ୍କ ଅଣ୍ଡାଦାନ ସମୟ । ଏନେଇ ପ୍ରଶାସନ ପକ୍ଷରୁ ଅଲିଭରିଡଲେଙ୍କ ସୁୁରକ୍ଷା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସମୁଦ୍ର ମଧ୍ୟକୁ ବୋଟ୍ ଚଳାଚଳରୁ ନେଇ ମାଛ ମରା ଉପରେ କଟକଣା ଲଗାଯାଇଛି । ହେଲେ ଏବେ କିଛି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ । ଗହୀରମଥାରେ ପାଟ୍ରୋଲିଂ ଦୁର୍ବଳ ହୋଇଥିବା ବେଳେ ବିରଳ ଅଲିଭରିଡଲେ ସୁରକ୍ଷାରେ ବାଧା ଉପୁଜିବା ନେଇ ଆଶଙ୍କା ଦେଖିବାକୁ ମିଳିଛି ।

ଦୁଇ ଦୁଇଟି ସ୍ପିଡ ବୋଟ ଅଚଳ ହୋଇପଡିଥିବା ବେଳେ ଗୋଟିଏ ଟ୍ରଲରରେ କାମ ଚଳାଉଛି ବନବିଭଗ । ଗହୀରମଥା କଇଁଛଙ୍କ ଏନ୍ତୁଡିଶାଳ କୁହାଯାଉଥିବା ବେଳେ ୫୦ ପ୍ରତିଶତ କଇଁଛ ଏଠାକୁ ଅଣ୍ଡାଦାନ ପାଇଁ ଆସିଛନ୍ତି । ଏବେ ବନବିଭାଗ ପାଖରେ ଗୋଟିଏ ଟ୍ରଲର ଥିବା ବେଳେ ତାହା ବି କମ୍ ସ୍ପିଡରେ ଚାଲୁଛି । ସ୍ଥାନୀୟ ଅଞ୍ଚଳରେ ମେକାନିକ୍ କି ପାର୍ଟସ ମିଳୁନଥିବା ବେଳେ କଇଁଛଙ୍କ ସୁରକ୍ଷା ନେଇ ଉଠୁଛି ପ୍ରଶ୍ନ?

ବନବିଭାଗ ପାଖରେ ଗୋଟିଏ ମାତ୍ର ଅଲିଭିଆ ନାମକ ପାଟ୍ରୋଲିଂ ଟ୍ରଲର ରହିଛି । ନିଷିଦ୍ଧାଞ୍ଚଳରେ ମାଛ ମାଫିଆଙ୍କ ୪୫୦ ରୁ ୬୦୦ ହର୍ସ ପାୱାର ବିଶିଷ୍ଟ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ପାଖରେ ଥିବା ମାତ୍ର ୩୫୦ ହର୍ସ ପାୱାର ବିଶିଷ୍ଟ ଗୋଟିଏ ଟ୍ରଲର କିପରି ତାହାକୁ ପ୍ରତିରୋଧ କରିବ । ଏନେଇ କଇଁଛଙ୍କ ସୁରକ୍ଷା ଚିନ୍ତା ବଢାଇଛି । ଅନ୍ୟପଟେ ବର୍ତମାନ ଅଲଭିଆ ଟ୍ରଲର ଥିବା ବେଳେ ଧାମରା ପୋର୍ଟ ଗୋଟିଏ ଟ୍ରଲର ଯୋଗାଇ ଦେବ ଓ ଆଉ ଗୋଟିଏ ଟ୍ରଲର ଭଡାରେ ଆଣିବା ପାଇଁ ଟେଣ୍ଡର ଡକାଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଣ୍ଡାଦାନ ପାଇଁ ଏହି ଅଲିଭରିଡଲେଙ୍କ ଭିଡ ଜମିଲାଣି । ହେଲେ ଅଚଳ ଟ୍ରଲର ଯୋଗୁ କଇଁଛଙ୍କ ସୁରକ୍ଷା ନେଇ ଚିନ୍ତା ବଢିବାରେ ଲାଗିଛି ।