ତାଲାବନ୍ଦ ସମୟରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି । ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ୨ଟି ସ୍ୱତନ୍ତ୍ର ଟ୍ରେନରେ ପହଁଚିବେ ଭାରତୀୟ ସେନା ।

1,089

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ସଙ୍କଟ ମଧ୍ୟରେ ବି ଭାରତୀୟ ସେନା ସୀମା ରକ୍ଷା କରିବାକୁ ପ୍ରସ୍ତୁତ ରହିଛି । ସୀମାର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ ସେନା ଶୀଘ୍ର ଉତ୍ତର ଏବଂ ପୂର୍ବ ସୀମାରେ ଅଧିକ ସୈନ୍ୟ ନିୟୋଜିତ କରିବାକୁ ନିଷ୍ପତି ନେଇଥିବା ବେଳେ ଏଥିପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଜଣାପଡିଛି । ଯାହାଦ୍ୱାରା ସୈନିକମାନଙ୍କୁ ଲକଡାଉନରେ ସୀମାକୁ ଅଣାଯାଇପାରିବ । ଏଥିସହିତ ଟ୍ରେନରେ ଯାତ୍ରା କରୁଥିବା ସୈନିକମାନଙ୍କ ପ୍ରଥମେ ଡାକ୍ତରୀ ଯାଞ୍ଚ କରାଯିବା ପରେ ସେମାନେ ଯାତ୍ରା ଆରମ୍ଭ କରିବେ ।

ତେବେ ସୁରକ୍ଷା ବଳ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଲକଡାଉନ ସମୟରେ ସୈନିକମାନଙ୍କୁ ସୀମାକୁ ନେବା ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳବାଇ ସହ ମିଶି ଭାରତୀୟ ସେନା ନିଷ୍ପତ୍ତି ନେଇଛି । ଏଥିରେ ପ୍ରଥମ ଟ୍ରେନ୍ ଏପ୍ରିଲ ୧୭ରେ ବେଙ୍ଗାଲୁରୁରୁ ଯାତ୍ରା ଆରମ୍ଭ କରିବ, ଯାହା ଅମ୍ବାଲା ଦେଇ ଜାମ୍ମୁରେ ପହଞ୍ଚିବ ଏବଂ ଦ୍ୱିତୀୟ ଟ୍ରେନ୍ ଏପ୍ରିଲ ୧୮ରେ ବେଙ୍ଗାଲୁରୁରୁ ଗୌହାଟୀକୁ ଯାତ୍ରା କରିବ ।

କରୋନା ହେତୁ ଭାରତୀୟ ସେନା ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ସୈନିକମାନେ ସଙ୍ଗରୋଧ ଅବଧି ଶେଷ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ସେମାନଙ୍କୁ ଟ୍ରେନ୍ ଯୋଗେ ପଠାଯିବ । ଏହି କ୍ଷେତ୍ରରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଭାରତର ଉତ୍ତର ସୀମା ପାକିସ୍ତାନ ସହିତ ଥିବାବେଳେ ପୂର୍ବ ସୀମା ଚୀନ୍ ସହିତ ରହିଛି । କରୋନା ସଙ୍କଟ ସମୟରେ ମଧ୍ୟ ପାକିସ୍ତାନ ଆକ୍ରମଣ କରିବା ବନ୍ଦ କରୁନାହିଁ । କଶ୍ମୀର ଉପତ୍ୟକାରେ ବରଫ ତରଳିବା ଆରମ୍ଭ କରିଥିବା ବେଳେ ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବେ । ଏହାକୁ ଦୃଷ୍ଟିରେ ରଖି ସୀମାରେ ସୁରକ୍ଷା ବଢାଇବା ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଯବାନମାନକୁ ଆଣିବାକୁ ନିଷ୍ପତି ନେଇଛି ଭାରତୀୟ ସେନା ।

Comments are closed.