ମା’ ଆଗରେ କୂଅ ଭିତରକୁ ଖସିପଡ଼ିଲେ ୨ ପୁଅ, ମୃତଦେହ ଉଦ୍ଧାର । ସିିସିଟିଭିରେ କଏଦ ହେଲା ଦୃଶ୍ୟ ।

148

କନକ ବ୍ୟୁରୋ: ମାଆ ସାମ୍ନାରେ ଦୁଇ ପୁଅଙ୍କ ମୃତ୍ୟୁ । ଅସାବଧାନତା ଯୋଗୁଁ କେମିତି ଜୀବନ ହରାଇବାକୁ ପଡେ, ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁରରେ । ମାଆର ଆଖି ସାମ୍ନାରେ ଚାଲିଗଲା ଦୁଇ ପୁଅଙ୍କ ଜୀବନ । ପୁଅମାନେ କୂଅରେ ବୁଡିଯାଉଥିବା ବେଳେ ଅସହାୟ ହୋଇ ନିର୍ବାକ ହୋଇଯାଇଛନ୍ତି ବୃଦ୍ଧା ମାଆ ।

ବିଧିର ବିଧାନ କେତେ ନିଷ୍ଠୁର । କୂଅରେ ପଡି ମା’ ଆଗରେ ଚାଲିଗଲା ଦୁଇ ପୁଅଙ୍କ ଜୀବନ । ଆଖି ସାମ୍ନାରେ ପୁଅଙ୍କ ମୃତ୍ୟୁକୁ ଦେଖି ବି ବଞ୍ଚାଇ ପାରିଲେ ନାହିଁ ଅସହାୟ ବୃଦ୍ଧା ମାଆ । ଏକ ୩୦ ଫୁଟ କୂଅରେ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି ସମ୍ବଲପୁରର ସୁଶୀଲ ତ୍ରିପାଠୀ ଓ ସୁନୀଲ ତ୍ରିପାଠୀ । ଦଇବ ବୁଢା ବାପା-ମାଆଙ୍କୁ ଅସହାୟ କରିଦେବା ସହ ଦୁଇ ମହିଳାଙ୍କ ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି ।

ସମୟ ସୋମବାର ରାତି ପ୍ରାୟ ୧୨ଟା ୧୮ । ସ୍ଥାନ ଥିଲା ସମ୍ବଲପୁରର ଲକ୍ଷ୍ମୀ ଟକିଜ । ନିଜ ଘର ସାମ୍ନାରେ କୂଅ ଚାନ୍ଦିନୀରେ ବସି କଥା ହେଉଥିଲେ ଦୁଇ ଭାଇ ସୁଶୀଲ ଓ ସୁନୀଲ । ସାମ୍ନାରେ ଛିଡା ହୋଇଥିଲେ ମାଆ ଅନୁସୟା । ହଠାତ ବଡଭାଇ ସୁଶୀଲ କୂଅ ଭିତରକୁ ଖସି ପଡିଥିଲେ । ଖସିବା ବେଳେ ଜୀବନ ବିକଳରେ ପାଖରେ ବସିଥିବା ସାନ ଭାଇ ସୁନୀଲଙ୍କ ହାତକୁ ଧରି ପକାଇଥିଲେ । ଫଳରେ ସୁଶୀଲଙ୍କ ସହ ସୁନୀଲ ବି କୂଅକୁ ଖସି ପଡିଥିଲେ । ନିକଟରେ ଥିବା ସିସିଟିଭିରେ ସେହି ଦୁର୍ଘଟଣାର ଚିତ୍ର କଏଦ ହୋଇଛି ।

ସୁଶୀଲ ଓ ସୁନିଲ ବିବାହ କରିବା ପରେ ଅଲଗା ଜାଗାରେ ଘର ଭଡା ନେଇ ରହୁଥିଲେ । ସବୁ ଦିନ ଲକ୍ଷ୍ମୀ ଟକିଜ ସ୍ଥିତ ଘରକୁ ଆସି ବାପା-ମାଆଙ୍କ ଦେଖାଶୁଣା କରନ୍ତି । ଅନ୍ୟଦିନ ଭଳି ସୋମବାର ମଧ୍ୟ ଦୁଇ ଭାଇ ବାପା-ମାଆଙ୍କ ପାଖକୁ ଆସିଥିଲେ, ହେଲେ ସବୁଦିନ ଭଳି ସୋମବାର ତାଙ୍କ ପାଇଁ ନଥିଲା । ଘର ପାଖ କୂଅରେ ସେମାନଙ୍କୁ ମୃତ୍ୟୁ ଜଗିଥିଲା ।