କରୋନାକୁ ହରାଇ ଜୀବନ ଯୁଦ୍ଧରେ ବାଜିମାତ୍ କରିଛନ୍ତି ଦୁଇ କୁନିପୁଅ । ୩ମାସର ପୁଅକୁ ମହାମାରୀ ମୁହଁରୁ ଛଡ଼ାଇ ଆଣିଛି ମା’ । ଶିଳ୍ପା ପାତ୍ର କହିଲେ, କୋଭିଡ଼ ହସ୍ପିଟାଲରେ କେମିତି କଟିଥିଲା ୧୦ ଦିନ

149

କନକ ବ୍ୟୁରୋ: ବାପା ମାଆର ପରିଚୟ ଠିକ ଭାବରେ ନ ମିଳୁନୁ କରୋନା ଦେଲା ପରିଚୟ । ବୟସର ପାଦ ଚିହ୍ନ କୁ ବି ଚିହ୍ନିଲା ନାହିଁ କରୋନା । ୩ ମାସର ଶିଶୁ ବି ନିଜ କବଳରେ ନେଇଗଲା କରୋନା । ମେଡ଼ିକାଲରେ ୧୦ ଦିନର ଜୀବନ ଯନ୍ତ୍ରଣାରେ ଛଟ ପଟ ହୋଇ ଶେଷରେ କରୋନାକୁ ମାତ ଦେଇ ପାଇଲା ନୁଆ ଜୀବନ । ଜୀବନ ବଚିଂଲା କରୋନା ହାରିଲା । ଏଭଳି ଏକ ଛବି ଦେଖିବାକୁ ମିଳିଛି ଜୟପୁର ସହରରେ ।

ମୁଁ ତୋତେ ଜନ୍ମ ଦେଇଛି, ଜୀବନ ବି ଦେବି । ମାଆର ମମତା ଆଗରେ ହାର ମାନିବ ଏ ମହାମାରୀ । କରୋନା କେବେ ମୋ ଠାରୁ ମୋ ଛାଇକୁ ଅଲଗା କରି ପାରିବ ନାହିଁ । ତୁ ପରା ମୋ ଛାଇ, ମୁଁ ବଂଚିଛି, ତୁ ବି ବଂଚିବୁ । ତୋତେ ସୁସ୍ଥ କରି ଖୁବ୍ ଶୀଘ୍ର ଏ ଡାକ୍ତରଖାନାରୁ ଘରକୁ ଫେରାଇ ନେବି । ଏମିତି ଆତ୍ମବିଶ୍ୱାସ ଆଜି ଏଇ କୁନି ପୁଅର ମାଆଙ୍କୁ ଡାକ୍ତରଖାନାରେ ଅତ୍ମବଳ ଯୋଗାଉଥିଲା । ଆଉ କରୋନା ସଂକ୍ରମିତ ମାଆ ନିଜେ ସୁସ୍ଥ ହେବା ସହ ପୁଅକୁ ସୁସ୍ଥ କରି ଘରକୁ ଫେରି ଆଣିବାରେ ସକ୍ଷମ ହୋଇଛନ୍ତି ।

ବାପା ଘରେ ବଡ ଭଉଣୀର ଏକ ଝିଅଟିଏ ଜନ୍ମ ହୋଇଥିଲା, ତାକୁ ଦେଖିବା ପାଇଁ ଶିଳ୍ପା ପାତ୍ର ଓ ତାଙ୍କ ଆଉ ୨ ଭଉଣୀ ଆସୁଥିଲେ । ୪ ଭଉଣୀ, ବାପା-ମାଆ ଓ ପିଲାଛୁଆଙ୍କୁ ନେଇ ଘରେ ଖୁସି ଭରି ଯାଇଥିଲା । ହେଲେ ଏ ଖୁସିକୁ ସହି ପାରିଲା ନାହିଁ କରୋନା । ମହାମାରୀ ସଂକ୍ରମିତ ହୋଇ ୭ଦିନର ଝିଅ ଆରପାରିକୁ ଚାଲିଯିବା ପରେ ଘରର ଅନ୍ୟ ସମସ୍ତେ କରୋନାରେ ଆକ୍ରାନ୍ତ ଚିହ୍ନଟ ହେଲେ । ଶିଳ୍ପା ଓ ତାଙ୍କ ୩ ମାସର ପୁଅ ବି ସଂକ୍ରମିତ ହୋଇ ଜୟପୁର କୋଭିଡ ହସ୍ପିଟାଲରେ ଭର୍ତି ହେଲେ । ବାସ ଏଇଠୁ ଆରମ୍ଭ ହେଲା ମାହାମାରୀ ଓ ଜଣେ ମାଆର ମମତା ଭିତରେ ଲଢେଇ । ଏବେ ଶୁଣୁନ୍ତୁ କେମିତି ଭୋକ ଓ ଅମ୍ଳଜାନ ଅଭାବର ଭୟ ଭିତରେ ଜୀବନ-ମୃତ୍ୟୁକୁ ନେଇ ସଂଘର୍ଷ କରୁଥିଲେ ଶିଳ୍ପା ।

ଡାକ୍ତରଖାନାରେ ୧୦ ଦିନର ଯୁଦ୍ଧ ପରେ ପୁଅ ଧିରେ ଧିରେ ସୁସ୍ଥ ହେଉଥିବା ଜାଣି ଟିକିଏ ନିଜକୁ ଆଶ୍ୱସ୍ଥ କରିବା ବେଳକୁ ବଡ ଭଉଣୀଙ୍କ ମୃତ୍ୟୁ ଖବର, ଶିଳ୍ପାଂକୁ ଆହୁରୀ ଦୁର୍ବଳ କରିଦିଏ । ସାନ ଝିଅ ଓ ନାତି ସୁସ୍ଥ ହେଉଛନ୍ତି ଜାଣି ଖୁସି ହେବେ, ୭ ଦିନର ନାତୁଣି ଓ ବଡ ଝିଅର ମୃତ୍ୟୁକୁ ଦୁଃଖ କରିବେ କିଛି ବୁଝ ପାରୁନାହାନ୍ତି ଶିଳ୍ପାଙ୍କ ମାଆ ।

ଦୃଢ ଆତ୍ମବଳ ଓ ସଠିକ୍ ସମୟରେ ଚିକିତ୍ସା ଆରମ୍ଭ କଲେ କରୋନାକୁ ବି ମାତ ଦେଇ ହେବ ବୋଲି କହିଛନ୍ତି ଶିଳ୍ପା ଓ କୁନି ପୁଅଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ସମୟ ଏମିତି ବି ଆସେ, ସୁଖ ଦେଇ କି ଅନୁଭବ କରିବା ପାଇଁ ଦିଏ ନାହିଁ, କି ଦୁଃଖ ଦେଇକି ପାସରିବାକୁ ଦିଏ ନାହିଁ ।