ଯୁବକ ହୁଅନ୍ତୁ ବା ଯୁବତୀ, ନିଜ ନିଜର ବିବାହ ଦିନକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ଘୋଡ଼ାରେ ବସି ସ୍ୱପ୍ନର ରାଜକୁମାର ନେବାକୁ ଆସିବାର ସ୍ୱପ୍ନ କେଉଁ ଯୁବତୀ ବା ଦେଖିନଥାନ୍ତି । କିନ୍ତୁ ମଧ୍ୟପ୍ରଦେଶର ଏହାର ଠିକ୍ ଓଲଟା ଦେଖିବାକୁ ମିଳିଛି । ବର ନୁହେଁ ବରଂ କନ୍ୟା ଘୋଡ଼ାରେ ଚଢ଼ି ବର ଘରେ ପହଞ୍ଚିଥିବା ଜଣାପଡ଼ିଛି। ବଧୂ ବେଶରେ ସଜ ହୋଇ ଘୋଡ଼ାରେ ଚଢ଼ି ଦୁଇ ଭଉଣୀ ନିଜ ନିଜର ବର ପାଖରେ ପହଞ୍ଚିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ପଟିଦାର ସମୁଦାୟରେ ଏଭଳି ପ୍ରଥା ଥିବାରୁ ଦୁଇ ଭଉଣୀ ସାକ୍ଷୀ ଓ ସୃଷ୍ଟି ଏଭଳି କରିଥିବା ଜଣା ପଡ଼ିଛି।
ଜାନୁଆରି ୨୨ରେ ଦୁହିଁଙ୍କର ବିବାହ ଥିବା ବେଳେ ବରଯାତ୍ରୀଙ୍କୁ ଧରି ବର ଘରେ ପହଞ୍ଚିଥିଲେ ସାକ୍ଷୀ ଓ ସୃଷ୍ଟି। ଏହା ପରେ ଦୁହିଁଙ୍କ ବିବାହ ହୋଇଥିଲା। ସାକ୍ଷୀ ଓ ସୃଷ୍ଟିଙ୍କ ବାପା ଅରୁଣଙ୍କ କହିବା ମୁତାବକ, ପଟିଦାର ସମୁଦାୟରେ ୪୦୦-୫୦୦ବର୍ଷରୁ ଏହି ପ୍ରଥା ପାଳନ ହୋଇ ଆସୁଛି, ଯାହାକୁ ଆମେ ଏବେ ଆଗକୁ ବଢ଼ାଉଛୁ। କେନ୍ଦ୍ର ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନକୁ ସମର୍ଥନ କରି ଆମେ ଏହାକୁ ଆଗକୁ ବଢ଼ାଉଛୁ। ସମାୁଜରେ ପୁରୁଷ-ମହିଳାଙ୍କୁ ସମାନ ଅଧିକାର ମିଳିବା ଦରକାର, ଯାହା ଆମେ ଏହି ପ୍ରଥା ମାଧ୍ୟମରେ ଲୋକଙ୍କୁ ଜଣାଉଛୁ। ମୁଁ ଅନ୍ୟ ସମୁଦାୟମାନଙ୍କୁ ଏହି ପ୍ରଥାକୁ ଆପଣାଇବା ପାଇଁ ଅନୁରୋଧ କରୁଛି।
ସେହିଭଳି ଭାବରେ ନିଜ ସମୁଦାୟର ଏହି ପ୍ରଥାକୁ ନେଇ ସୃଷ୍ଟି କହିଛନ୍ତି, ଏହି ସମୁଦାୟର ଏକ ଅଂଶ ହୋଇ ମୁଁ ଗର୍ବିତ। ଏହା ସହ ଏବେ ବି ଆମ ସମୁଦାୟର ଲୋକ ୫୦୦ବର୍ଷ ପ୍ରଥାକୁ ଆଗକୁ ବଢ଼ାଉଛନ୍ତି, ସେ ନେଇ ମୁଁ ବହୁତ ଖୁସି।
Follow Us