କନକ ବ୍ୟୁରୋ : ଝିଅ ବି କମ ନୁହେଁ । ସମୟ ବଦଳିଛି, ପରିବାରର ବୋଝ ଉଠାଇବାକୁ ଝିଅ ବି ଆଗେଇ ଆସୁଛନ୍ତି । ଝିଅମାନେ ବି ବାପାମା’ଙ୍କ ସାହାରା ପାଲଟିବା ଉଦାହରଣ ଆଜିକାଲି କିଛି ବହୁତ ଦେଖିବାକୁ ମିଳୁଛି। ଝିଅମାନେ ବାପାମା’ଙ୍କ ଅସମୟର ସାହାରା ହେବା, ଶବକୁ କାନ୍ଧ ଦେବା ଓ ମୁଖାଗ୍ନି ଦେବାର ବହୁ ଉଦାହରଣ ଆଜିକାଲି ଦେଖିବାକୁ ମିଳିଲାଣି। ସେମିତି ଏକ ଉଦାହରଣ ଏବେ ବାଲିଅନ୍ତା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କର୍କଟ ପୀଡ଼ିତ ବାପାଙ୍କ ଚିକିତ୍ସା ପାଇଁ ସ୍କୁଲରେ ପଢ଼ୁଥିବା ଦୁଇ ଭଉଣୀ ଅଣ୍ଟା ଭିଡ଼ିଛିନ୍ତି। ବାପାଙ୍କ କରଣୀ ଓ ଗଜ ଧରି ରାଜମିସ୍ତ୍ରୀ କାମରେ ଲାଗି ପଡ଼ିଛନ୍ତି ଦୁଇ ଭଉଣୀ।
Kanak News is now on WhatsApp
Join and get latest news updates delivered to you via WhatsApp
ସରକଣା ପଞ୍ଚାୟତ ଅଧୀନ କଇଜଙ୍ଗା ଗ୍ରାମର ଜୟୀରାମ ପ୍ରଧାନ । ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ରାଜମିସ୍ତ୍ରୀ। ହାତରେ କରଣୀ ଓ ଗଜ ଧରି ସେ କେତେ ଘର ଗଢ଼ିଛନ୍ତି। କିନ୍ତୁ ମୁଖଗହ୍ବର କର୍କଟ ରୋଗରେ ପୀଡ଼ିତ ହୋଇ ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବର୍ଷେ ହେଲା ରୋଗଶଯ୍ୟାରେ ପଡ଼ିଛନ୍ତି। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନପାଇବାରୁ ରୋଗ ବଢ଼ିବଢ଼ି ଚାଲିଛି। ଫଳରେ ସେ ଏବେ କଥା କହି ପାରୁନାହାନ୍ତି କି ଭଲ କରି ଖାଦ୍ୟ ଖାଇ ପାରୁନାହାନ୍ତି। ତୁରନ୍ତ ଅସ୍ତ୍ରୋପଚାର କରାଗଲେ, ସେ ସୁସ୍ଥ ହୋଇଯିବେ ବୋଲି କଟକ ଆଚାର୍ୟ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ଡାକ୍ତରମାନେ କହିଛନ୍ତି। ମାତ୍ର ଅସ୍ତ୍ରୋପଚାର ପାଇଁ ବାଧକ ସାଜିଛି ଅର୍ଥ। ଘରେ ଜୟୀରାମ ହିଁ ଥିଲେ ଏକମାତ୍ର ରୋଜଗାରିଆ ବ୍ୟକ୍ତି। ସେ ଅସୁସ୍ଥ ହେବା ପରେ ପରିବାର ଉପରେ ଦୁଃଖର ପାହାଡ଼ ମାଡ଼ି ବସିଛି। ଭଲରେ ମୁଠାଏ ଖାଇବାକୁ ଯୋଗାଡ଼ କରିବାକୁ ଅକ୍ଷମ ପରିବାର ଜୟୀରାମଙ୍କ ଚିକିତ୍ସା କରିବାକୁ ସକ୍ଷମ ହୁଅନ୍ତା ବା କେମିତି!
ହେଲେ ଭାଙ୍ଗି ପଡ଼ିନାହାନ୍ତି ଜୟୀରାମଙ୍କ ଦୁଇ ଝିଅ। ନବମରେ ପଢ଼ୁଥିବା ବଡ଼ ଝିଅ ଶୁଭଶ୍ରୀ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀ ସାନଝିଅ ଗାୟତ୍ରୀ ବାପାଙ୍କ ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଦୀର୍ଘ ବର୍ଷେ ହେଲା ଘରେ ପଡ଼ି ରହିଥିବା ବାପାଙ୍କ ଗଜ ଓ କରଣୀ ଧରି ବାହାରି ପଡ଼ିଛନ୍ତି ରୋଜଗାର କରିବାକୁ। ମୁଣ୍ଡରେ ବାଲି ସିମେଣ୍ଟ ବୋହୁଛନ୍ତି। କିନ୍ତୁ ପାଠପଢ଼ା ବନ୍ଦ କରିନାହାନ୍ତି। ଏବେ ସ୍କୁଲ ବନ୍ଦ ଥିବାରୁ ସେମାନେ ଦିନବେଳା କାମ କରୁଛନ୍ତି ଓ ରାତିରେ ବହି ଧରି ବସୁଛନ୍ତି। ସେମାନଙ୍କ ପାରିଶ୍ରମିକ ବାପାଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ହେବ ନାହିଁ ବୋଲି ବୁଝି ପାରୁଥିଲେ ବି ଦୁଇ ଭଉଣୀ ଆଶାବାଦୀ ଥିବା କହିଛନ୍ତି। ଏଭଳି ସ୍ଥିତିରେ ମା’ ସୁଷମା କେବଳ ଭାଗ୍ୟକୁ ଆଦରି ଲୁହ ଗଡ଼ାଉଥିବାରୁ ଦୁଇ ଭଉଣୀ ତାଙ୍କୁ ବୁଝାଉଛନ୍ତି। ଏହି ଘଟଣା ଏବେ ବାଳକାଟି ଅଞ୍ଚଳରେ ବହୁ ଲୋକଙ୍କୁ ବ୍ୟଥିତ କରିଛି। କୌଣସି ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନ ଦୁଇ ଭଉଣୀଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ଯଦି କୌଣସି ସହୃଦୟ ବଦାନ୍ୟ ବ୍ୟକ୍ତି ଅବା ଅନୁଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଚାହୁଥାନ୍ତି, ତା’ହେଲେ ମୋବାଇଲ୍ ନଂ ୯୩୪୮୪୬୫୨୦୮ରେ ଯୋଗାଯୋଗ କରିବାକୁ ଜୟୀରାମଙ୍କ ପତ୍ନୀ ସୁଷମା ଅନୁରୋଧ କରିଛନ୍ତି।