ବିଛଣାରେ ପଡିଛନ୍ତି ବାପା । ଘର ଚଳେଇବାକୁ ଗାଁ ଗାଁ ବୁଲି ପରିବା ବିକୁଛନ୍ତି ଦୁଇ କୁନି କୁନି ଭଉଣୀ ।

153

କନକ ବ୍ୟୁରୋ: ଯେତେବେଳେ ଘରର ସାହସ ଶଯ୍ୟାଶାୟୀ ହୋଇଯାଏ, ପରିବାରର ଆଶା ଅଚଳ ହୋଇଯାଏ ଆଉ ବାପା ବିଛଣାରେ ପଡିଯାଆନ୍ତି ସେତେବେଳେ ଗାଁଦାଣ୍ଡରେ ଏମିତି ଅବସ୍ଥାରେ ଦେଖିବାକୁ ମିଳେ ଅସହାୟ ଶିଶୁମାନଙ୍କୁ । ବାପା ରୋଗରେ ପଡିଛନ୍ତି ବୋଲି ତ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି ? ବାପା ବେରୋଜଗାର ବୋଲି ତ ସେମାନେ ପରିବା ବିକୁଛନ୍ତି ? ନହେଲେ ପାଠପଢା ବୟସରେ କଣ କାହାଘରେ ଝିଅମାନଙ୍କୁ ଏ ପରିସ୍ଥିତିର ସାମ୍ନା କରିବାକୁ ଦିଆଯାଏ ? ଘରେ ରହିଲେ ଖାଇବେ କଣ ? ପାଠଠୁ ପେଟର ଭୋକ ବଳିଯାଉଛି? ବଞ୍ଚିବା ପାଇଁ କିଛି କରିବାକୁ ପଡିବ? ୪ ଜଣ ଚଳିବାକୁ ଖାଦ୍ୟ ଯୋଗାଡ କରିବାକୁ ପଡିବ? ଏଇ କଥା ଭାବି ପରିବାର ପୋଷିବାକୁ ପରିବା ବ୍ୟବସାୟ ଆରମ୍ଭ କଲେ ଦୁଇ କୁନି କୁନି ଝିଅ । ଛୋଟ ଛୋଟ ପାଦରେ ଚାଲିବାକୁ ବଳ ନାହିଁ ତଥାପି ବାପାମାଆଙ୍କ ମୁହଁରେ ଦାନା ଦେବାକୁ ଦି ଭଉଣୀ ଖାଲିପାଦରେ ଖରାତରାରେ ଗାଁ ଗାଁ ବୁଲୁଛନ୍ତି । ଆଉ ଏ ସାଇକେଲ ଖଣ୍ଡେ ଧରି ପରିବା ବିକୁଛନ୍ତି…

କେନ୍ଦ୍ରାପଡା ଜିଲ୍ଲା ତରଡିପାଳ ପଞ୍ଚାୟତ ଗୋପାଳପୁର ଗାଁର ସର୍ବେଶ୍ୱର ବାରିକ । ଗାଁରେ କୌଳିକ ବୃତି କରି ପରିବାର ଚଳାଉଥିଲେ । କିନ୍ତୁ ଦୁଇ ବର୍ଷ ତଳେ ହଠାତ୍ ତାଙ୍କ ପିଠି, କାନ୍ଧ ଯନ୍ତ୍ରଣା ହେଲା । ଡାକ୍ତରଙ୍କ ପରାମର୍ଶରୁ ଜଣାପଡିଲା ତାଙ୍କ ମେରୁଦଣ୍ଡରେ ସମସ୍ୟା ରହିଛି । ରୋଗ ଭଲ ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ଭଣ୍ଡାରି କାମ ତ ଦିନେଦିନେ ଭୋକରେ ରହେ ପରିବାର, ଆଉ ଚିକିତ୍ସା ପାଇଁ ଏତେ ଟଙ୍କା ବା ଆସିବ କୁଆଡୁ । ତେଣୁ ଘରେ ରହିଛନ୍ତି ସର୍ବେଶ୍ୱର ।

ସେପଟେ ମାଆ ମାଗିଯାଚି ଆଣିଲେ ୨ ଝିଅ ଓ ସ୍ୱାମୀଙ୍କ ପେଟପୂରେ । କିନ୍ତୁ କେତେ ଦିନ ଏମିତି ପରର ହାତଟେକାରେ ପୂରିବ ପେଟ । ତେଣୁ କଅଁଳ ବୟସରେ ଘରର ବୋଝକୁ କାନ୍ଧକୁ ନେଇଛନ୍ତି ଦୁଇ ଭଉଣୀ । ଆଉ ବୁଲିବୁଲି ବାପାଙ୍କ ଚିକିତ୍ସା ସହ ଘର ଚଳାଇବାକୁ ପରିବା ବିକୁଛନ୍ତି । ପରିବା ବିକି ଯେତିକି ରୋଜଗାର କରନ୍ତି ସେଥିରେ ଘର ଚଳେ, ବାକି ଯାହା ରହେ ସେଥିରେ ଦୁହିଁଙ୍କ ଖାତା, ବହି, କଲମ କିଣାଯାଏ ।

ସର୍ବେଶ୍ୱରଙ୍କ ବଡ ଝିଅ ଭଲ ପାଠ ପଢୁଥିବା ବେଳେ ଡାକ୍ତର ହେବାର ସ୍ୱପ୍ନ ଦେଖିଛି । ହେଲେ ବିଚାରୀ ପୂଜା କେମିତି ବା ଜାଣିବ ଗରିବ ଘରେ ତା ସ୍ୱପ୍ନ ସତ ହେବା ମୁସ୍କିଲ । ତାପରେ ବାପା ପୁଣି ଶଯ୍ୟାଶାୟୀ, ତେଣୁ ଆଖିର ସ୍ୱପ୍ନ ଏବେ ଲୁହ ହୋଇ ବୋହିଯାଉଛି…

ଏ କାହାଣୀ ହୁଏତ ଆପଣଙ୍କୁ ପ୍ରଭାବିତ କରିନପାରେ କି କିଛି ଫରକ ପକାଇ ନପାରେ । କାରଣ ଅନ୍ୟର ଖବରଟିକୁ ଆପଣ ଦେଖି ହୁଏତ ଏଡାଇ ବି ଯାଇପାରନ୍ତି । କିନ୍ତୁ ଥରେ ବଡଝିଅର ସେ ଲୁହକୁ ଭଲରେ ବୁଝନ୍ତୁ, ଦେଖନ୍ତୁ କେମିତି ପିଲାଟିଏ ଡାକ୍ତରର ସ୍ୱପ୍ନ ନେଇ ବଞ୍ଚୁଥିବା ବେଳେ ବିଧାତା ତା ସ୍ୱପ୍ନରେ କଳାବାଦଲ ଢାଙ୍କି ଦେଉଛି । ତା କୋହରୁ ଶୁଣିବାକୁ ଚେଷ୍ଟା କରନ୍ତୁ କେମିତି ବାପା ବିଛଣାରେ ପଡିବା ପରେ ନିଜ ଭବିଷ୍ୟତ, ନିଜ ଘର ପରିବାର ପାଇଁ ପରିସ୍ଥିତି ସାମ୍ନାରେ ତା ସ୍ୱପ୍ନକୁ ସମାଧି ଦେବାକୁ ଯାଉଛି… ସରକାର କିମ୍ବା ସହୃଦୟ ବ୍ୟକ୍ତି ଘଟଣାକୁ ଗମ୍ଭୀରତାର ସହ ବୁଝି ସେମାନଙ୍କ ପାଖରେ ସହାୟତାର ଦେବଦୂତ ସାଜି ପହଞ୍ଚିବାର ଆବଶ୍ୟକତା ଅଛି… କାରଣ ଆପଣଙ୍କ ଛୋଟ ସହଯୋଗ ସେମାନଙ୍କ ସମୟକୁ ବଦଳାଇ ଦେଇପାରେ…