ବେଣୁ ମଉସାଙ୍କ ପାଇଁ ରଣାଙ୍ଗନରେ ଦୁଇ ରାନୀ । ମଉସାଙ୍କୁ ସାଇକେଲ ପଛରେ ବସାଇ ପ୍ରଚାର କଲେ ରାନୀ ପଣ୍ଡା । ସେପଟେ ମଉସାଙ୍କୁ ଟେକି ଟେକି ଭୋଟ୍ ମାଗିଲେ ଅଭିନେତ୍ରୀ ରାନୀ ସାହୁ ।

522

କନକ ବ୍ୟୁରୋ : ବେଣୁ ମଉସାଙ୍କ ନାଁରେ କମ୍ପୁଛି ବାଲେଶ୍ୱର ବ୍ୟାଟେଲଗ୍ରାଉଣ୍ଡ । ପ୍ରଚାର ମୈଦାନରେ ଦୁଇ ରାନୀ । ବେଣୁ ମଉସାଙ୍କ ପାଇଁ ବାହାରିଲେ ଦୁଇ ଅଭିନେତ୍ରୀ । ପ୍ରଥମେ ରାନୀ ପଣ୍ଡା ପ୍ରଚାର ପାଇଁ ଆସିଥିଲେ ଆଉ ଏବେ ମଉସାଙ୍କ ପାଇଁ ବାଲେଶ୍ୱର ମାଟିରେ ପାଦ ଥାପିଛନ୍ତି ଆଉ ଜଣେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ । ଆଉ ଦୁଇ ରାନୀଙ୍କ ମାରାଥନ ପ୍ରଚାରରେ କମ୍ପୁଛି ବାଲେଶ୍ୱର ବ୍ୟାଟେଲଗ୍ରାଉଣ୍ଡ ।

ମଉସାଙ୍କ ଚିହ୍ନ କେଟିଲି ଚିହ୍ନ, ବେଣୁ ମଉସା ଜିନ୍ଦାବାଦ, କେଟିଲି ଚିହ୍ନ ଜିନ୍ଦାବାଦ… କିଛି ଏଭଳି ନାରା ସହ ପ୍ରକମ୍ପିତ ହେଉଛି ବାଲେଶ୍ୱରର ପ୍ରଚାର ମୈଦାନ । ଯେତେବେଳେ ଅଭିନେତ୍ରୀ ରାନୀ ପଣ୍ଡା ଏବଂ ରାନୀ ପ୍ରିୟଦର୍ଶିନୀ ସାହୁ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ଗୋଟିଏ ପଟେ ବେଣୁ ମଉସାଙ୍କୁ ସାଇକେଲ ପଛରେ ବସାଇ ନିଆରା ଢଙ୍ଗରେ ପ୍ରଚାର କରିଛନ୍ତି ରାନୀ ପଣ୍ଡା । ତା ସହ ଘରକୁ ଘର ବୁଲି କେଟିଲି ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ସେ ଅନୁରୋଧ କରିଛନ୍ତି । ଆଉ ଅନ୍ୟପଟେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ବେଣୁ ମଉସାଙ୍କୁ ଟେକି ଟେକି ତାଙ୍କ ସପକ୍ଷରେ ଭୋଟ୍ ପାଇଁ ପ୍ରଚାର କରୁଛନ୍ତି ।

ବାଲେଶ୍ୱର ବାଜି ଜିତିବାକୁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । କେହି ହେଭିୱେଟ ନେତା ପ୍ରଚାରକୁ ଆସିଲେ ଦାମିକିଆ ଗାଡି ସାଙ୍ଗକୁ ପୁଳା ପୁଳା ଫ୍ଲେକ୍ସରେ ଝଲସୁଛି ପ୍ରଚାର ମୈଦାନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ମଧ୍ୟ ଦିଆଯାଉଛି । ଲକ୍ଷାଧିକ ଟଙ୍କାର ପ୍ରଚାର ଭିତରେ ଏବେ କିନ୍ତୁ ବେଣୁ ମଉସାଙ୍କ ପ୍ରଚାର ଷ୍ଟ୍ରାଟେଜି ଉପରେ ରହିଛି ଭୋଟରଙ୍କର ନଜର ।

ସାଇକେଲଟିଏ ଧରି ପ୍ରଚାର କରୁଥିବା ବେଣୁ ମଉସା ଏବେ ଉପନିର୍ବାଚନ ମୈଦାନର ସେନସେସନ ପାଲଟିଯାଇଛନ୍ତି । ଆଣ୍ଠୁ ଉପରକୁ ପଡୁଥିବା ଧୋତି, ଭଙ୍ଗା ସାଇକେଲରେ ନିଜ କେଟିଲି ଚିହ୍ନର ପୋଷ୍ଟରଟିଏ ମାରି ପ୍ରଚାର ମୈଦାନକୁ ଓହ୍ଲାଇଉଛନ୍ତି ବେଣୁଧର । ଆଉ ଏବେ ବେଣୁଧରଙ୍କ ପାଇଁ ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା ଏବଂ ରାନୀ ପ୍ରିୟଦର୍ଶିନୀ । ତେବେ ବେଣୁଧର ବାଲେଶ୍ୱର ସଦରର ବାଜିଗର ହୁଅନ୍ତୁ କି ନାହିଁ, ଜଣେ ଗରିବୀର ଗର୍ବକୁ ଭାଙ୍ଗି କିଭଳି ଜୀବନ ଯୁଦ୍ଧରେ ଜିତିବେ, ତାର ଉଦାହରଣ ହେଉଛନ୍ତି ଏହି ୯୦ ବର୍ଷୀୟ ବୃଦ୍ଧ ବେଣୁ ମଉସା ।