ଦେବେନ୍ଦ୍ରଙ୍କ ଇସ୍ତଫା ପରେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରହିଛି ଦୁଇଟି ବିକଳ୍ପ ବ୍ୟବସ୍ଥା । ଜାଣନ୍ତୁ କଣ ଏହି ଦୁଇ ବିକଳ୍ପ ବ୍ୟବସ୍ଥା ।
ମହାରାଷ୍ଟ୍ରରେ ସରକାର ଗଠନ ନେଇ ବାଟ ଫିଟୁନଥିବା ବେଳେ କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନଭିସ୍ । ବିଧାନସଭା କାର୍ଯ୍ୟକାଳ ପୂରିବାର ଗୋଟିଏ ଦିନ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇ ଫଡନବିଶ୍ ମହାରାଷ୍ଟ୍ର ଅଙ୍କକୁ ଗୋଳମାଳିଆ କରିଛନ୍ତି । କୁହାଯାଉଛି, ଫଡନବିଶ ଇସ୍ତଫା ଦେଇ ଶିବସେନା ଉପରେ ଚାପ ପକାଇବାକୁ ଚାହୁଁଛି । ଗୋଟିଏ ପଟେ ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଦ୍ୱାର ବନ୍ଦ ହୋଇ ଆସୁଥିବା ବେଳେ ଏବେ ମଧ୍ୟ ୨ଟି ବିକଳ୍ପ ବାକି ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମଟି ହେଉଛି, ବିଜେପି ଓ ଶିବସେନା ମିଳିତ ଭାବେ ସରକାର ଗଢିବାକୁ ହାତ ମିଳାଇପାରିବେ । ଆଉ ଅନ୍ୟଟି ହେଲା ଏନସିପି ସହ ମେଣ୍ଟ କରି କଂଗ୍ରେସର ବାହ୍ୟ ସମର୍ଥନରେ ସରକାର ଗଢିପାରିବ ଶିବସେନା । କିନ୍ତୁ ଦ୍ୱିତୀୟ ବିକଳ୍ପରେ ସରକାର ଗଢିବା ଏତେ ସହଜ ନୁହେଁ । କାରଣ ଉଭୟ କଂଗ୍ରେସ-ଏନସିପିର ବଡ ବିରୋଧୀ ଦଳ ହେଉଛି ଶିବସେନା ।ତେଣୁ ପ୍ରଥମ ବିକଳ୍ପ ଉପରେ ସମସ୍ତଙ୍କର ନଜର ରହିଛି ।
ଏହି ବିକଳ୍ପରେ ସରକାର ଗଢିବାକୁ ହେଲେ ଶିବସେନାକୁ ମୁଖ୍ୟମନ୍ତ୍ରୀ ମୋହ ଛାଡିବାକୁ ପଡିବ କିମ୍ବା ବିଜେପିକୁ ମହାରାଷ୍ଟ୍ରରେ ୫ ବର୍ଷ ଶାସନ କରିବା ଜିଦରୁ ଓହରିବାକୁ ପଡିବ । କିନ୍ତୁ ଏହାକୁ ନେଇ ଉଭୟ ଦଳ ମଧ୍ୟରେ ସହମତି ନହେଲେ ସରକାର ଗଠନ କରିବା ସ୍ୱପ୍ନ ଧୂଳିସାତ୍ ହେବ । କିନ୍ତୁ ବିଜେପି-ଶିବସେନା ମଧ୍ୟରେ ଯେଉଁଭଳି ବୟାନଯୁଦ୍ଧ ଦେଖିବାକୁ ମିଳୁଛି ସେଭଳି ସ୍ଥିତିରେ ସରକାର ଗଠନ ହେବା ସମ୍ଭାବନା କ୍ଷୀଣ ।
ଏଭଳି ସ୍ଥିତିରେ ରାଜ୍ୟପାଳ ଭଗତ୍ ସିଂହ କେଶୟାରୀଙ୍କ ନିଷ୍ପତି ଉପରେ ସମସ୍ତଙ୍କର ନଜର ରହିବ । ସରକାର ଗଠନ ପାଇଁ କାହାକୁ ସୁଯୋଗ ଦେବେ ନା ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିବେ ତାହା ସବୁଠୁ ବଡ ପ୍ରଶ୍ନ । ଏହାପୂର୍ବରୁ ୧୯୯୯ ମସିହାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ସେତେବେଳେ ମଧ୍ୟ କୌଣସି ଦଳକୁ ଏକକ ମ୍ୟାଜିକ ନମ୍ବର ମିଳିନଥିବାରୁ ସରକାର ଗଠନରେ କିଛି ଦିନ ପାଇଁ ବ୍ରେକ ଲାଗିଥିଲା । ତେବେ ପରବର୍ତ୍ତୀ ସମୟରେ ଏନସିପି-କଂଗ୍ରେସ ମଧ୍ୟରେ ସହମତି ହେବା ସହ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବାଟ ଫିଟିଥିଲା । ୨୦୦୪ରେ ମଧ୍ୟ ଏନସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସରକାର ଗଠନରେ ବଡ କେଁ ଦେଖିବାକୁ ମିଳିଥିଲା । ଏନସିପି ଅଧିକ ଆସନ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ରୋକଠୋକ ଜଣାଇଥିଲା କଂଗ୍ରେସ । ଆଉ ଯେଉଁଥିପାଇଁ ସରକାର ଗଠନରେ କିଛି ଦିନ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା । ତେବେ ଅଧିକ ୩ଟି ମନ୍ତ୍ରୀପଦ ନେଇ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲା ଏନସିପି ।