ଜୋତା ପିନ୍ଧି ମହାପ୍ରଭୁଙ୍କ ମହାପ୍ରସାଦ ଖାଉଛନ୍ତି ୨ଜଣ ପୋଲିସ କର୍ମଚାରୀ । ଭାଇରାଲ ହେଲା ଭିଡିଓ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ।

860

କନକ ବ୍ୟୁରୋ : ମହାପ୍ରସାଦ ପ୍ରତି ଅବମାନନା ଅଭିଯୋଗ । ଦୁଇଜଣ ପୁଲିସ କର୍ମଚାରୀ ବେଂଚ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଉଥିବାରୁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଏହାକୁ ନିନ୍ଦା କରାଯାଇ ସିଂହଦ୍ୱାର ଥାନାରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ଦିଆଯାଇଛି ।

ସୂଚନା ଅନୁସାରେ ଗତ ରଥଯାତ୍ରା ସମୟରେ ମଧ୍ୟ କିଛି ପୁଲିସ କର୍ମଚାରୀ ଗୁଣ୍ଡିଚା ମନ୍ଦିରରେ ଏଭଳି ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯଦି ବର୍ତ୍ତମାନର ଘଟଣା ସମ୍ପର୍କରେ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଏସପି ଅଫିସ ଆଗରେ ଧାରଣା ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ।