କନକ ବ୍ୟୁରୋ: ଆଜି ଭାରତ-ଆମେରିକା ମଧ୍ୟରେ ଟୁ ପ୍ଲସ୍ ଟୁ ମନ୍ତ୍ରୀସ୍ତରୀୟ ବୈଠକ । ବୈଠକରେ ଯୋଗଦେବା ପାଇଁ ବିଳମ୍ବିତ ରାତିରେ ଭାରତରେ ପହଞ୍ଚିଛନ୍ତି ଆମେରିକାର ବୈଦେଶିକ ସଚିବ ଆଂଟୋନୀ ବ୍ଲିଙ୍କେନ୍ । ଦିଲ୍ଲୀ ବିମାନ ବନ୍ଦରରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନେ ସ୍ୱାଗତ କରିଥିଲେ । ତାଙ୍କର ଏହି ଗସ୍ତ ଭାରତ-ଆମେରିକା ବୈଷୟିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଉଛି । ସେହିପରି ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ଟୁ ପ୍ଲସ ଟୁ ବୈଠକରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ, ପ୍ରଯୁକ୍ତି ସହଯୋଗ ଏବଂ ଜନ ସମ୍ପର୍କର ଅଗ୍ରଗତିର ବ୍ୟାପକ ଦିଗ ଉପରେ ସମୀକ୍ଷା କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Advertisment

ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ଜୁନ୍ ଓ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଭାରତ-ଆମେରିକା ଭାଗିଦାରୀର ଭବିଷ୍ୟତର ରୋଡମ୍ୟାପକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା ହୋଇପାରେ । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆମେରିକା ବୈଦେଶିକ ସଚିବ ଓ ପ୍ରତିରକ୍ଷା ସଚିବଙ୍କ ମଧ୍ୟରେ ଆଲୋଚନା ହେବ ।