କନକ ବ୍ୟୁରୋ : ଗତକାଲି ରାଜଧାନୀ ରେଳଷ୍ଟେସନରେ ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଆଜି କଡ଼ା ପଦକ୍ଷେପ ନିଆଯାଇଛି। ବୁଧବାର ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ୨ଟି ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯାଇଛି। ଏହି ଫୋର୍ସଙ୍କୁ ଆରପିଏଫ୍ ଓ ଜିଆରପି ପକ୍ଷରୁ ଦିଲ୍ଲୀ ତଥା ଦ୍ରୁତଗାମୀ ଟ୍ରେନ୍ ପାଇଁ ମୁତୟନ କରାଯାଇଛି। କେବଳ ଏତିକି ନୁହେଁ, ଏହି ଫୋର୍ସ ପ୍ରଥମେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରିବେ। ଯେଉଁ ଯାତ୍ରୀଙ୍କ ଟିକେଟ ଥିବ, ସେହି ଯାତ୍ରୀଙ୍କୁ ହିଁ ବଗି ଭିତରକୁ ଛଡାଯିବ ।
ସୂଚନାଯୋଗ୍ୟ, ଗତକାଲି ସେନା ନିଯୁକ୍ତି ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶ ଓ ବିହାରର ପରୀକ୍ଷାର୍ଥୀମାନେ ଫେରିବା ପାଇଁ ପୁରୁଷୋତ୍ତମ ଏକ୍ସପ୍ରେସକୁ ଟାର୍ଗେଟ୍ କରିଥିଲେ। ଟ୍ରେନରେ ଜୋରଜବରଦସ୍ତ ଚଢ଼ି ଯାଇଥିବା ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ତୁମୁଳକାଣ୍ଡ ଯୋଗୁଁ ରାତି ଅଧରେ ଭୁବନେଶ୍ୱର ଷ୍ଟେସନରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏପରିକି ବାରମ୍ବାର ଚେନ୍ ପୁଲିଂ କରିବା ଦ୍ୱାରା ଷ୍ଟେସନରୁ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଟ୍ରେନ୍ ଛାଡିଥିଲା ।
ଏହି ପରୀକ୍ଷାର୍ଥୀଙ୍କୁ ଘଉଡ଼ାଇବାକୁ ଯାଇ ରେଳବାଇ ପୁଲିସ, ଆରପିଏଫ୍ ଓ ସ୍ଥାନୀୟ ପୁଲିସକୁ ନାକେଦମ୍ ହେବାକୁ ପଡିଥିଲା। ଶେଷରେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିଚାର୍ଜ କରି ବିଦା କରିବା ପରେ ଘଣ୍ଟାଏରୁ ଅଧିକ ସମୟ ବିଳମ୍ବରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏହାଛଡ଼ା ପୁରୁଷୋତ୍ତମ ଏକ୍ସପ୍ରେସ୍ ଲଗେଜ୍ ବଗିର ତାଲା ଭାଙ୍ଗି ଭିତରେ ପଶିଥିବା ଅଭିଯୋଗରେ ରେଳବାଇ ପୁଲିସ ଉତ୍ତରପ୍ରଦେଶ ମିରଟର ଜଣେ ଯୁବକକୁ ଅଟକ ରଖିଛି।
Follow Us