ବିବାଦୀୟ ଭାଇରାଲ ଅଡିଓ ମାମଲାରେ ଦୁଇ ଗିରଫ: ୨ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ; ଏକ ଘରୋଇ ଚ୍ୟାନେଲ ଦ୍ୱାରା ପ୍ରସାରଣ ହୋଇଥିଲା ବିବାଦୀୟ ଅଡିଓ

କମିଶନରେଟ ପୋଲିସ ପକ୍ଷରୁ ତଦନ୍ତ ଜାରି ।

1,485

କନକ ବ୍ୟୁରୋ: ଏକ ଘରୋଇ ଟିଭି ଚ୍ୟାନେଲରେ ବିବାଦୀୟ ଭାଇରାଲ ଅଡିଓ ପ୍ରସାରଣ ପ୍ରସଙ୍ଗରେ କମିଶନରେଟ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ କେବୁଲ ନେଟୱର୍କ ସଂସ୍ଥା ଓରଟେଲ କମ୍ୟୁନିକେଶନର ଜଣେ କର୍ମଚାରୀ ଥିବା ଜଣାପଡିଛି । ଏମାନେ ଗତକାଲି ଦ୍ୱିପ୍ରହରରୁ ଗିରଫ ହୋଇଛନ୍ତି । ଏକ ଭାଇରାଲ ଅଡିଓ ଟେପ ପ୍ରସାରଣ ପରେ କରୋନା ନେଇ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ଘରୋଇ ଚ୍ୟାନେଲ ବିରୋଧରେ ଶୁକ୍ରବାରଦିନ ଥାନାରେ ଅଭିଯୋଗ କରିଥିଲା ବିଏମସି । ଏଥି ସହ ସେହି ଟିଭି ଚାନେଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା ।

ଏହାପରେ ସଂପୃକ୍ତ ଟିଭି ଚ୍ୟାନେଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ଏହି ଅଡିଓ ଟେପ୍ରେ କୁହାଯାଇଥିଲା, ଜଣେ କରୋନା ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଦେଢ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ଦେଉଛନ୍ତି । ଏବଂ କୋଭିଡ୍ ହସ୍ପିଟାଲ ଗୁଡିକୁ ଅତି କମ୍ରେ ଶହେ ରୋଗୀଙ୍କୁ ଆଡ୍ମିସନ୍ କରିବାକୁ ଟାର୍ଗେଟ ଦିଆଯାଇଛି । ସେପଟେ ଓରଟେଲର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗିରଫ ବିଷୟରେ ସେ କିଛି ଖବର ପାଇନାହନ୍ତି । ତେବେ ଓରଟେଲର ଜଣେ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଗିରଫଦାରୀ କିମ୍ବା ଅଟକ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି ।