ନୃଶଂସ, ଜଘନ୍ୟ, ସାଂଘାତିକ । ପିଟିପିଟି ଦୁଇ ଜଣଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ପୋଡ଼ି ଦେଲେ ଶବ ।

280

କନକ ବ୍ୟୁରୋ: ଚାଞ୍ଚଲ୍ୟ ଖେଳାଇ ଦେଇଛି ଗଞ୍ଜାମ ଜିଲ୍ଲା ମହୁଡ଼ା ଗାଁର ହତ୍ୟାକାଣ୍ଡ । ଦୁଇ ଜଣଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହରେ ପେଟ୍ରୋଲ୍ ଢ଼ାଳି ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି । ଭୋରରୁ ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଛାନବିନ୍ ଆରମ୍ଭ କରିଛି । ମୃତକ ଦୁଇ ଜଣ ହେଲେ ସଦର ଥାନା ଲାଠି ଗାଁ କୁମ୍ଭାରସାହିର ଶିବରାମ ଗୌଡ଼ ଏବଂ ପାଢ଼ୀସାହିର ଲିଟୁ ଓରଫ ବିଘ୍ନରାଜ ପୁରୋହିତ ।

  • ନୃଶଂସ, ଜଘନ୍ୟ, ସାଂଘାତିକ
  • ପିଟିପିଟି ଦୁଇ ଜଣଙ୍କୁ ନିର୍ମମ ହତ୍ୟା
  • ହତ୍ୟା ପରେ ପୋଡ଼ି ଦେଲେ ଶବ

ମୃତ ଶିବରାମଙ୍କ ପତ୍ନୀ ଅଭିଯୋଗ ଅନୁସାରେ ଦିଗପହଣ୍ଡି ଥାନାରେ ହତ୍ୟା ମାମଲା ରୁଜୁ କରି ଛାନବିନ୍ ଆରମ୍ଭ କରିଛି ପୁଲିସ୍ । ଏହି ଘଟଣା ପରେ ମହୁଡ଼ା ଗାଁର ପ୍ରାୟ ୧୫ ଜଣଙ୍କୁ ଅଟକ ରଖାଯାଇଛି । ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଥିବା ବେଳେ ହତ୍ୟାପଛର ପ୍ରକୃତ କାରଣ ଖୋଜୁଛି ଗଞ୍ଜାମ ପୁଲିସ ।

ଏପଟେ କେନ୍ଦୁଝର ଜିଲ୍ଳାରୁ ଆସିଛି ଚୋରି ପାଇଁ ଅପହରଣ ଏବଂ ଅପହରଣ ପରେ ହତ୍ୟା ଭଳି ସାଂଘାତିକ୍ ଅଭିଯୋଗ । ଅପହରଣର ୫ ଦିନ ପରେ ରାସ୍ତାରୁ ଉଦ୍ଧାର ହୋଇଛି ଡ୍ରାଇଭରଙ୍କ ମୃତଦେହ । କଟକରୁ ଅପହରଣ ପରେ ଆନନ୍ଦପୁର ଘଷିପୁରା ଥାନା ଦରଖା ନିକଟ ରାସ୍ତାରେ ଚାଳକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଡ୍ରାଇଭର ହେଲେ ପୁରୀ ଜିଲ୍ଲା କଣାସ ଥାନା ଛୋଟିଯୋଡ଼ି ଗାଁର ଭଗବାନ ବଇରୀ ।

ଭଗବାନ ବଇରୀ, ୨୪ ତାରିଖ ସଂଧ୍ୟାରେ କଟକ କଲେଜ ଛକରୁ ୨ଜଣ ପୁଅ ଓ ଜଣେ ଝିଅ ଯାଜପୁର ଯିବାକୁ କହି ଭଡ଼ାରେ ନେଇଥିଲେ । ଗାଡ଼ିରେ ବସି ଯିବା ସମୟର ସିସିଟିଭି ଭିଜୁଆଲ ପୋଲିସ ହାତରେ ଲାଗିଛି । ଏହା ପରଠାରୁ ଭଗବାନଙ୍କ କୌଣସି ପତା ମିଳିନଥିଲା । ପରିବାର ଲୋକେ ଅନେକ ଖୋଜାଖୋଜି ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ କେନ୍ଦ୍ର କରି ପୋଲିସ ତଦନ୍ତ କରୁଥିବା ବେଳେ ଭଗବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଗାଡ଼ି ଚୋରି ପାଇଁ ଏହି ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।