କନକ ବ୍ୟୁରୋ: ଝାଡଖଣ୍ଡ ରାଜଖରସୁଆଁଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହାୱଡା – ମୁମ୍ବାଇ ମେଲ ଏକ୍ସପ୍ରେସ୍ ଘଟଣାରେ ଉଦ୍ଧାର ହୋଇଛି ୨ ଯାତ୍ରୀଙ୍କ ମୃତହେଦ । ୨ ମୃତକ ରାଉରକେଲା ବାସିନ୍ଦା ବୋଲି ସୂଚନା ରହିଛି । ଅନ୍ୟ ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ରେଲୱେ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ସୋମବାର ରାତି ପାଖାପାଖି ସାଢେ ୩ଟା ସମୟରେ ହାୱଡା – ମୁମ୍ବାଇ ମେଲ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇ ପାଖ ଟ୍ରାକରେ ଛିଡା ହୋଇଥିବା ମାଲବାହୀ ଟ୍ରେନ ସହ ପିଟି ହୋଇଥିଲା । ଘଟଣାସ୍ଥ୍ଳରେ ତୁରନ୍ତ ରେଲୱେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାମ କରିଥିଲେ । ଏବଂ ଅନ୍ୟ ସମସ୍ତ ଯାତ୍ରୀଙ୍କ ସୁରକ୍ଷିତ ଭାବେ ଚକ୍ରଧରପୁର ରେଲୱେ ଷ୍ଟେସନରେ ନେଇ ପହଞ୍ଚାଇଥିଲେ ।
ଦୁର୍ଘଟଣା ପରେ ୫ଟି ଟ୍ରେନକୁ ପୂର୍ଣ୍ଣ ଭାବେ ଓ ୪ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଥିବା ନେଇ ସୂଚନା ରହିଛି । ସୂଚନା ମୁତାବକ, ହାୱଡା-ଟିଟିଲାଗଡ- କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍, ଖଡଗପୁର-ଧାନବାଦ ଏକ୍ସପ୍ରେସ୍, ହାୱଡା- ବଡବିଲ ହାୱଡା ଏକ୍ସପ୍ରେସ୍, ଟାଟାନଗର- ଇଟୱାରୀ , ସାଲିମାର-ଏଲଟିଏଫ୍ ଏକ୍ସପ୍ରେସ୍ ଓ ହାୱଡା- ଭୁବନେଶ୍ୱର- ହାୱଡା ଜନଶତାବ୍ଦୀକୁ ବାତିଲ କରାଯାଇଛି ।