ସହିଦ ପରିବାରକୁ ୨୫ ଲକ୍ଷ ସହାୟତା । ମାଟିମାଆ ପାଇଁ ଗଲୱାନ ଘାଟିରେ ପ୍ରାଣବଳୀ ଦେଇଥିବା ୨ ଓଡିଆ ବୀର ଯବାନଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

4,067

କନକ ବ୍ୟୁରୋ: ସହିଦ ପରିବାରକୁ ୨୫ ଲକ୍ଷ ସହାୟତା । ଗଲୱାନ ଘାଟିରେ ସହିଦ ହୋଇଥିବା ୨ ଓଡିଆ ଯବାନଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ରାଶି ଘୋଷଣା ।

ତେବେ ପୂର୍ବ ଲଦ୍ଦାଖର ଭାରତ ଓ ଚୀନ ସୀମା ନିକଟରେ ଥିବା ଗଲଓ୍ଵାନ ଘାଟିରେ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଭାରତ ଚୀନ ସୀମା ଗଲୱାନ ଘାଟିରେ ଚୀନ ସେନା ସହ ଲଢେଇରେ ଓଡ଼ିଶାର ୨ ଜଣ ବୀର ଯବାନ ସହିଦ ହୋଇଛନ୍ତି । ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇ ଦୁଇ ଯବାନ ରାଜ୍ୟର ଗର୍ବ ଗୌରବ ପାଲଟିଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜ ରାଇରଙ୍ଗପୁର ବିଜାତଳା ଗାଁର ସୁବେଦାର ନନ୍ଦୁରାମ ସୋରେନ ସହିଦ ହୋଇଛନ୍ତି । ଦୁଇ ବୀର ଯବାନ ସହିଦ ହେବା ପରେ ଭାଙ୍ଗିପଡିଛି ସେମାନଙ୍କ ପରିବାର । ନନ୍ଦୁରାମଙ୍କ ୩ଟି ଝିଅ ଥିବାରୁ କେମିତି ସେମାନେ ଚଳିବେ ସେନେଇ ସରକାରଙ୍କ ଗୁହାରୀ କରିଥିଲେ । ଅନ୍ୟପଟେ ଚନ୍ଦ୍ରକାନ୍ତ ମଧ୍ୟ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ତେଣୁ ସେମାନଙ୍କ ପରିବାର ପାଇଁ ଆଜି ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।