କନକ ବ୍ୟୁରୋ : ଆଜି ଜେଇଇ ଆଡଭାନ୍ସ ସର୍ବଭାରତୀୟ ପରୀକ୍ଷାର ଫଳ ବାହାରିଛି । ଏହି ପରୀକ୍ଷାରେ କଣ୍ଟାବାଞ୍ଜିରେ ଗୋଟିଏ ପରିବାରର ଦୁଇ ଭାଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରେକର୍ଡ କରିଛନ୍ତି । ସର୍ବଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ନମ୍ବର ସ୍ଥାନ ପାଇଥିବା ବେଳେ ତାଙ୍କ ସାନ ଭାଇ ମନ୍ଥନ ଡାଲମିଆ ୧୦୦ ନମ୍ବର ସ୍ଥାନ ହାସଲ କରିଛନ୍ତି । ସେହିପରି ଓଡିଶାରେ ରୋନକ ଏକ ନମ୍ବରରେ ଥିବା ବେଳେ ମନ୍ଥନ ତୃତୀୟ ନମ୍ବରରେ ଥିବା ଜଣାଯାଇଛି । ଦୁଇଭାଇଙ୍କ ଏଭଳି ସଫଳତା ପରେ ପରିବାରରେ ଏବେ ଖୁସିର ଲହରି ଖେଳିଯାଇଛି ।
ଦୁଇ ଭାଇ ପରୀକ୍ଷାରେ ସଫଳ ହୋଇଥିବା ଯୋଗୁଁ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି । ରୋହନ ଏବଂ ମନ୍ଥନଙ୍କ କହିବା ଅନୁସାରେ ବିନା କୌଣସି ଟିୟୁସନ ବା କୋଚିଂରେ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଲକଡାଉନ ସମୟରେ ଲୋକେ ବାହାରକୁ ବାହାରିବାକୁ ବାରଣ ଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଭାଇ ଘରେ ରହି କେବଳ ନିଜ ପଢାରେ ଧ୍ୟାନ ଦେଇଥିଲେ ।
ଦୁଇ ଭାଇଙ୍କ ଏହି ସଫଳତାକୁ ନେଇ କଂଟାବାଞ୍ଜି ସହରବାସୀ ବେଶ ଖୁସି ଥିବା ବେଳେ ଆଗକୁ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ପୁର୍ବରୁ କଂଟାବାଞ୍ଜି ସହରରେ ୬ ଜଣ ସିଭିଲ ସର୍ଭିସରେ ଭଲ ସ୍ଥାନ ରଖି କଂଟାବାଞ୍ଜିର ସୁନାମ ଅର୍ଜନ କରିଥିବା ବେଳେ ଏହି ଦୁଇ ଭାଇ ସର୍ବଭାରତୀୟ ସ୍ତରରେ ନିଜ ନାମ ରଖିଥିବା ଯୋଗୁ କଂଟାବାଞ୍ଜିବାସୀ ସହ ପରିବାର ଲୋକ ବେସ ଖୁସି ହୋଇଯାଇଛନ୍ତି ।