କନକ ବ୍ୟୁରୋ : ସାଇବର ଠକେଇ ମାମଲାରେ ନାଇଜେରିଆର ଦୁଇ ନାଗରିକଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ସାଇବର ସେଲ୍‌। ନୂଆଦିଲ୍ଲୀରୁ ସେମାନଙ୍କୁ ଓଡ଼ିଶା ଅଣାଯାଇଛି । ଦୁଇ ଠକ ଖ୍ରିଷ୍ଟୋଫର ଚିଜୋବାମ ଓ ନାମଦି ଷ୍ଟାନଲେ ମାମୁଲୁଙ୍କୁ ଧରି ସାଇବର ସେଲର ସ୍ବତନ୍ତ୍ର ଦଳ ଶନିବାର ଭୁବନେଶ୍ବରରେ ପହଂଚିଛି । ଅନ୍ୟ ଜଣେ ଠକ ଆରତୀ ଗୌତମଙ୍କୁ ମଧ୍ୟ ଓଡ଼ିଶା ଅଣାଯାଇଛି । ଏମାନେ ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ଠାରୁ ୨ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ । ଠକମାନେ ନିଜକୁ ପୂର୍ବତନ ଆଇଏଏସ୍ ଅଫିସର ଭାବେ ନିଜକୁ ପରିଚୟ ଦେଇ ଏହି ଠକେଇ କରିଥିଲେ । ପରେ ଠକାମୀର ଶିକାର ବ୍ୟକ୍ତି ଜଣକ ସାଇବର କ୍ରାଇମ୍ ୟୁନିଟରେ ଅଭିଯୋଗ କରିଥିଲେ ।

Advertisment

ଏହାପରେ ଖୋଳତାଡ଼ ଆରମ୍ଭ ହୋଇଥିଲା । ପ୍ରଥମେ ଆରତି ଗୌତମଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ପଚରାଉଚରା ପରେ ନାଇଜେରିଆ ନାଗରିକ ମଧ୍ୟ ଠକେଇରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ସେମାନଙ୍କ ଠାରୁ ୬ଟି ମୋବାଇଲ, ୨ଟି ଲାପଟପ୍, ୧୦ଟି ସିମ୍ କାର୍ଡ, ୧୦ଟି ବ୍ୟାଙ୍କ ପାସ୍ ବୁକ୍, ୨ଟି ଡେବିଟ୍ କାର୍ଡ ମଧ୍ୟ ଜବତ ହୋଇଛି । ତଦନ୍ତ ବେଳେ ସାଇବର ସେଲ୍ ଜାଣିବାକୁ ପାଇଛି ଯେ, ଏମାନେ କେବଳ ଓଡ଼ିଶାରେ ନୁହେଁ, ବରଂ ଦେଶର ୧୦ଟି ରାଜ୍ୟରେ ଠକେଇର ଜାଲର ବିଛାଇଥିଲେ । ଏହି ଠକମାନେ ୯୦ରୁ ଅଧିକ ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।