ଯାଜପୁରରେ ଆଉ ୨ କରୋନା ପଜିଟିଭ: ଆଜି ମୋଟ ୭ ଜଣ ସଂକ୍ରମିତ ଚିହ୍ନଟ; କଲିକତାରୁ ଫେରିଛନ୍ତି ବରୀ ଅଂଚଳର ଆକ୍ରାନ୍ତ; ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୬ ଛୁଇଁଲା

1,440

କନକ ବ୍ୟୁରୋ: ରାଜ୍ୟରେ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବଂ ବର୍ତ୍ତମାନ ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ବରୀ ଅଂଚଳର । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ଯାଜପୁରରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ସକାଳେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ଜିଲ୍ଲାରେ ଆଉ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୭କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫୬କୁ ଛୁଇଁଲା । ଆଜି ସକାଳେ ଯାଜପୁର ଜିଲ୍ଲାର ବରୀ ବ୍ଲକରୁ ପ୍ରଥମ ଥର ଲାଗି ଜଣେ କରୋନା ଆକ୍ରାନ୍ତଙ୍କ ସମେତ ୫ ପଜିଟିଭ୍  ଚିହ୍ନଟ ହୋଇଥିଲେ। ଯାହାକି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

ଅନ୍ୟପଟେ ବର୍ତ୍ତମାନ ଚିହ୍ନଟ ହୋଇଥିବା ଏହି ଦୁଇ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ଯାଜପୁର ଜିଲ୍ଲା ବରୀ ବ୍ଲକର ୨ ଆକ୍ରାନ୍ତ ପୁରୁଷ କରୋନାରେ ସଂକ୍ରମିତ ହୋଇଥିବା ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି । ଏମାନଙ୍କ ବୟସ ଯଥାକ୍ରମେ ୪୮ ଏବଂ ୫୫ ବର୍ଷ ବୟସ ରହିଛି । ତେବେ ଏହି ସମସ୍ତ ଆକ୍ରାନ୍ତଙ୍କର ରହିଛି କୋଲକାତା ଲିଙ୍କ୍ ଏବଂ ଏମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ କୋଲକାତାରୁ ଆସିଥିବାରୁ କ୍ୱାରେନଟିନ୍ରେ ରଖିଥିଲା ପ୍ରଶାସନ । ଏବେ ଏହି ଦୁଇ ବ୍ୟକ୍ତି କାହାକାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ଖୋଳତାଡ ଜାରି ରହିଛି ।

ସେପଟେ, ଆଜି ସକାଳେ ଯାଜପୁରରେ ୫ ନୂଆ ଆକ୍ରାନ୍ତଙ୍କ ଠିକଣା ଜଣାପଡିଛି । ଯାଜପୁର ବ୍ଲକ ନାଥସାହିରୁ ଜଣେ , ବାସୁଦେବପୁରରୁ ୨ ଜଣ , ବରି ବ୍ଲକ କଳାମାଟିଆ ଗାଁରୁ ଜଣେ , ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆକରି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ୩ ଜଣ ପୁରୁଷଙ୍କ ବୟସ ହେଉଛି ୨୮ ବର୍ଷ, ୫୬ ବର୍ଷ ଓ ୬୩ ବର୍ଷ । ୨ ଜଣ ମହିଳାଙ୍କ ବୟସ ହେଉଛି ୨୪ ଓ ୬୦ ବର୍ଷ । ଏହି ସମସ୍ତ ଆକ୍ରାନ୍ତଙ୍କର ରହିଛି କୋଲକାତା ଲିଙ୍କ୍ ।