କନକ ବ୍ୟୁରୋ : ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୨ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ନାରାୟଣପୁରର ଡିଆରଜି ଯବାନ ଅରଛୁ ଅଂଚଳର ଇତୁଲ, ଗୋରବାୟା, ଭାଟବେଡା, ବଡ ଟୋଣ୍ଟାବେଡା ଏବଂ ଆଦେର ଜଂଗଲରେ ଚଢାଉ କରିଥିଲେ ।
ଆଜି ସକାଳ ୯ଟା ବେଳେ ଯବାନ ମାଓ କ୍ୟାମ୍ପ ନିକଟରେ ପହଞ୍ଚିବା ପରେ ମାଓବାଦୀ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ । ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗୁଳି ବିନିମୟ ଘଟିଥିଲା । ଏହି ଗୁଳିବିନିମୟ ପରେ ଯବାନ ଘଟଣାସ୍ଥଳର ସର୍ଚ୍ଚ ଅପରେସନ କରୁଥିବା ବେଳେ ୨ ଜଣ ମାଓବାଦୀଙ୍କ ଶବକୁ ଉଦ୍ଧାର କରିଛି । ଏଥିସହ ବନ୍ଧୁକ ସହ ବହୁ ମାତ୍ରାରେ ବିସ୍ଫୋରକ ଜବତ କରିଛି ।
ଆଜି ଦିନ ୨ଟା ବେଳେ ପୁଣି ମାଓବାଦୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ । ତେବେ ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି । ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ଶବ ଚିହ୍ନଟ ହୋଇନଥିବା କୁହାଯାଇଛି । ଆଜି ପର୍ଯ୍ୟନ୍ତ ଜୁନ ମାସରେ ବସ୍ତର ରେଂଜରେ ୫ ଜଣ ମାଓବାଦୀଙ୍କୁ ପୁଲିସ ମାରିବାରେ ସଫଳ ହୋଇଛି । ଲଗାତାର ଛତିଶଗଡର ନକ୍ସଲ ପ୍ରବଣ ଅଂଚଳ ଗୁଡିକରେ ଯବାନ କୁମ୍ବିଂକୁ ଜୋରଦାର କରୁଛନ୍ତି ।