କନକ ବ୍ୟୁରୋ : ରାଜସ୍ଥାନ କୋଟାରେ ୨ ଛାତ୍ରଙ୍କ ଆତ୍ମହତ୍ୟା । ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ୨ ଛାତ୍ରଙ୍କ ଆତ୍ମହତ୍ୟା । କୋଟିଂ ସେଣ୍ଟରର ୬ମହଲା କୋଠାରୁ ଡେଇଁ ଜଣଙ୍କ ଆତ୍ମହତ୍ୟା । ସେହିପରି ବେକରେ ରଶି ଦେଇ ଅନ୍ୟ ଜଣେ ଛାତ୍ର ଝୁଲି ପଡିଛନ୍ତି । ୨ଛାତ୍ରଙ୍କ ଘର ମହାରାଷ୍ଟ୍ର ଓ ବିହାରରେ ବୋଲି ଜଣାପଡିଛି । ଜାନୁଆରୀରୁ ଅଗଷ୍ଟ ସୁଦ୍ଧା ୨୨ ଛାତ୍ର ଆତ୍ମହତ୍ୟା କଲେଣି ।

Advertisment

ପ୍ରଥମେ ଆତ୍ମହତ୍ୟା କରିଥିବା ୧୬ ବର୍ଷିୟ ବାଳକ ଥିଲେ ମହାରାଷ୍ଟ୍ରର ବାସିନ୍ଦା । ବିଜ୍ଞାନ ନଗର ଅଞ୍ଚଳରେ ଥିବା ତାଙ୍କ କୋଚିଙ୍ଗ୍‌ ପ୍ରତିଷ୍ଠାନର ୬ଷ୍ଠ ମହଲାରୁ ସେ ତଳକୁ ଡେଇଁ ପ୍ରାଣ ହରାଇଛନ୍ତି । କୋଚିଙ୍ଗ୍‌ ପ୍ରତିଷ୍ଠାନରେ ଅପରାହ୍ଣରେ ଅନୁଷ୍ଠିତ ସାପ୍ତାହିକ ପରୀକ୍ଷା ଦେବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି  । ଏହାର ୬ଘଣ୍ଟା ପରେ ବିହାରରୁ ଆସି କୋଚିଙ୍ଗ୍‌ ନେଉଥିବା ଜଣେ ୧୮ ବର୍ଷିୟ ତରୁଣ ନିଜ କୋଠରିରେ ଥିବା ସିଲିଂ ଫ୍ୟାନ୍‌ରେ ଫାଶୀ ଲଗାଇ ଜୀବନ ହାରିଛନ୍ତି ।

କୁନାଡ଼ି ଥାନାର ‘ଏସ୍‌ଏଚ୍‌ଓ’ ଗଙ୍ଗା ସହାୟ ଶର୍ମା କହିଛନ୍ତି, କୁନାଡ଼ି ଅଞ୍ଚଳରେ ଥିବା ଏକ ଭଡ଼ା ଆପାର୍ଟମେଣ୍ଟ୍‌ରେ ତାଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇଙ୍କ ସହିତ ସେ ରହୁଥିଲେ । ଥରକୁ ଥର କବାଟ ଠକ ଠକ କରିବା ସତ୍ତ୍ବେ କବାଟ ନ ଖୋଲିବାରୁ ତାଙ୍କର ଭାଇଭଉଣୀ କବାଟ ଭାଙ୍ଗି ଦେଖିଲେ ସେ ପଙ୍ଖାରେ ଫାଶୀ ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଜୀବନ ହାରିଥିବା ୨ଛାତ୍ର ‘ନିଟ୍‌’ ପାଇଁ ପ୍ରସ୍ତୁତି କରୁଥିଲେ। ଘଟଣା ସଂକ୍ରାନ୍ତରେ ଅବଗତ ଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି, ଉଭୟ ଘଟଣାରେ କୌଣସି ‘ସୁସାଇଡ୍‌ ନୋଟ୍‌’ ମିଳିନାହିଁ ।