ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଜାଣନ୍ତୁ କେଉଁ କେଉଁ ଦିନ ହେବ ବର୍ଷା ?

624

କନକ ବ୍ୟୁରୋ : ଗୋଟିଏ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରା ଓଡ଼ିଶାକୁ ବୁଡ଼େଇବା ପରେ ଏବେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିଲାଣି । ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ବର ନିକଟରେ ରହିବ । ଏହା ବର୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗରେ ମିଶିବା ପରେ ସୁନ୍ଦରଗଡ଼ ଦେଇ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ୨୧ ତାରିଖ ପର୍ଯ୍ୟନ୍ତ ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା କମ୍‌ । ତେବେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ପଶୁପାଳକ ଆହୁରି ଆକଳନ କରିଛନ୍ତି ଯେ ୨୩ ତାରିଖରେ ମିଆଁମାର ନିକଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ତେବେ ତାହାର ବିଶେଷ ପ୍ରଭାବ ରହିବ ନାହିଁ । ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳୟରେ ହିଁ ରହିବ । ତା’ପରେ କିଭଳି ରୂପ ନେବ ସେନେଇ ବର୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ସେ ଦୃଷ୍ଟିରୁ ଦେଖିଲେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ । ସମୁଦାୟ ବର୍ଷାର ପରିମାଣ ୫୦ରୁ ୭୦ ମିମି ହୋଇପାରେ । ସ୍ଥାନେ ସ୍ଥାନେ ୯୦ ମିମି ବର୍ଷା ହେବ । ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳରେ, ୨୨ରୁ ୨୪ ତାରିଖ ଯାଏ ଦକ୍ଷିଣ ଅଭ୍ୟନ୍ତରୀଣରେ ଓ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ୨୪ ତାରିଖରୁ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଆହୁରି କମିବ । ତେବେ ମୌସୁମୀ ସକ୍ରିୟ ହେତୁ ବିକ୍ଷିପ୍ତ ହାଲୁକା ବର୍ଷା ହୋଇପାରେ ।

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ‌ହେଉଛି ଯେ ଅବପାତ ଦୁର୍ବଳ ହେବା ସହ ଲଘୁଚାପରେ ପରିଣତ ହୋଇ ମଧ୍ୟପ୍ରଦେଶ ଉପରେ ରହିଛି । ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବରରେ ଏବଂ ୧୯ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏତେ ବର୍ଷା ସ‌ତ୍ତ୍ବେ ବର୍ତମାନ ସୁଦ୍ଧା ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୯ ଜିଲ୍ଲାରେ ସ୍ବାଭାବିକ ହୋଇଛି । ସେପ୍ଟେମ୍ବରରେ ମୋଟ ୨୭୧.୪ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୧୩୨.୯ ମିମିଠାରୁ ଅଧିକ ।