ଆଜି ଆଉ ୨ ମୁଣ୍ଡ ନେଲା କରୋନା: ମୃତକ ୨ ଜଣ କଟକ ଜିଲ୍ଲାର ହୋଇଥିବା ନେଇ ସୂଚନା; ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

3,679

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନାର କାୟା । ଦିନକୁ ଦିନ ରାଜ୍ୟରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲଗାତର ୪ ଦିନ ହେଲା ରାଜ୍ୟରେ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୪ଦିନ ମଧ୍ୟରେ କରୋନା ମହାମାରୀରେ ଜୀବନ ହାରିଲେଣି ୫ ଜଣ ଆକ୍ରାନ୍ତ । ତେବେ ଆଜି ରାଜ୍ୟରେ ଆଉ ୨ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ମୃତକ ଦୁଇ ଜଣ କଟକ ଜିଲ୍ଲାର ହୋଇଥିବା ବେଳେ ଏମାନେ କୋଭିଡ-୧୯ ଭୁତାଣୁରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ମୃତକଙ୍କ ମଧ୍ୟରେ ଜଣେ ୭୧ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଅନ୍ୟ ଜଣେ ୫୩ ବର୍ଷୀୟ ବ୍ୟକ୍ତି ଅଛନ୍ତି । ୭୧ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ କରୋନା ଜନିତ ଘଟିଥିବା ବେଳେ ସେ ମଧୁମେହ ଏବଂ କିଡନୀ ରୋଗରେ ପୀଡିତ ଥିଲେ । ସେହିପରି ଅନ୍ୟ ମୃତକ ଜଣକ ମଧ୍ୟ କୋଭିଡ-୧୯ ଭୁତାଣୁ ସହ ମଧୁମେହ ରୋଗରେ ପୀଡିତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ନୂଆ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ସେପଟେ, ରାଜ୍ୟରେ ନୂଆ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୫୦ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳର ୧୭ ଜଣ ଅଛନ୍ତି ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪ ଶହ ୭୦ । ଗଜପତିରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୩୦ ଜଣ, ଜଗତସିଂହପୁରରୁ ୧୯ ଜଣ,ମୟୁରଭଂଜରୁ ୧୪ ଜଣ,ବାଲେଶ୍ୱରରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡାରୁ ୫ ଜଣ,ଯାଜପୁରରୁ ୫ ଜଣ,ଖୋର୍ଦ୍ଧାରୁ ୮ ଜଣ,ନୟାଗଡରୁ ୨ ଜଣ,କଟକରୁ ୩ ଜଣ, ଢେଙ୍କାନାଳରୁ ୯ ଜଣ,ଓ ବରଗଡ,ପୁରୀ,ବଲାଙ୍ଗୀର,କୋରାପୁଟରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।