କରୋନା ନେଲା ଆଉ ୨ ଜୀବନ: ବରଗଡ଼ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧ ମୃତ, ଗଞ୍ଜାମର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ; ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

୫ ହଜାର ଟପିଲର ଆକ୍ରାନ୍ତଙ୍କ ସଂଖ୍ୟା

555

କନକ ବ୍ୟୁରୋ: ରାଜ୍ୟରେ କରୋନାର ଭୟଙ୍କର ରୂପ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୩୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ମହାମାରୀ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି ।

ତେବେ ମୃତକଙ୍କ ମଧ୍ୟରେ ଜଣେ ବରଗଡ ଜିଲ୍ଲାରୁ ହୋଇଥିବା ବେଳେ ଅନ୍ୟ ଜଣେ ଗଂଜାମର ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ  ମୃତ୍ୟୁ ହୋଇଥିବା ବେଳେ ଗଂଜାମର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ୭୬ ବର୍ଷୀୟ ବୃଦ୍ଧ ଜଣକ ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି  । ସେହିଭଳି ଗଂଜାମର ୪୯ ବର୍ଷୀୟ ମୃତକ ଜଣକ ଏକାଧିକ ରୋଗରେ ପୀଡିଚ ଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ସେପଟେ ଆଜିର ୨ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ୧୪ ମୃତକ ମଧ୍ୟରୁ ଗଂଜାମର ୭ ଜଣ, ଭୁବନେଶ୍ୱରର ୩ ଜଣ, ଖୋର୍ଦ୍ଧାର ଜଣେ, କଟକର ଜଣେ, ପୁରୀର ଜଣେ, ବରଗଡର ଜଣେ ଅଛନ୍ତି । ଏପ୍ରିଲରେ ରାଜ୍ୟରେ କରୋନାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ମେର ୫ ଜଣକ ଓ ଜୁନରେ ୮ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି । ଅପରପକ୍ଷରେ ୩୦୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ସଂଗରୋଧ କେନ୍ଦ୍ରରୁ ଓ ୩୨ ଜଣ ସ୍ଥାନୀୟ ଅଂଚଳର । ଗଜପତିରୁ ସର୍ବାଧିକ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୪୦ଜଣ,ଜଗତସିଂହପୁରରୁ ୨୯ ଜଣ, ଝାରସୁଗୁଡାରୁ ୨୫ , ବାଲେଶ୍ୱରରୁ ୧୭, କନ୍ଧମାଳରୁ ୧୨, ବରଗଡରୁ ୧୪, ଯାଜପୁରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ, ବଲାଙ୍ଗୀର, ଢେଙ୍କାନାଳରୁ ଜଣେ ଲେଖାଁଏ, କଟକରୁ ୧୩ ଜଣ, ନୟାଗଡରୁ ୩ ଜଣ, ପୁରୀରୁ ୩ ଜଣ, କେନ୍ଦ୍ରାପଡାରୁ ୫ ଜଣ, ସମ୍ବଲପୁରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।