ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ଘଟଣା: ୨ ସୁପାରୀ କିଲରଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍; ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ୱାଳ ଗିରଫ

ମୁଣ୍ଡ ଗଡାଇବାକୁ ୪୦ହଜାର ଟଙ୍କା ନେଇଥିଲେ ସୁପାରୀ । ହତ୍ୟାରେ ବ୍ୟବହୃତ ଖଣ୍ଡା ଓ ବାଇକ୍ ଜବତ

1,327

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ସାମନ୍ତରାପୁର ମିଠା ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ଘଟଣାରେ ମୋଟ୍ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍ । ତେବେ ମୁଖ୍ୟ ଅଭିଯୁକ୍ତ ଦିଲୁ ବେହେରା, ଦିଲୁର ବାପା ବାଉରିଆ ବେହେରା, ଦିଲୁର ସ୍ତ୍ରୀ ଏବଂ ଏମାନଙ୍କୁ ଆଶ୍ରୟ ଦେଇଥିବା ଏବଂ ଅଭିଯୁକ୍ତଙ୍କୁ ଫେରାର ହେବାର ସହାୟତା କରିଥିବା ଦୁଇ ଅଭିଯୁକ୍ତ ପୁରୀରୁ ଗିରଫ ହୋଇଥିବା ବେଳେ ଆଜି ହତ୍ୟାକାଣ୍ଡ ଭିଆଇ ଥିବା ୨ ଜଣ ସୁପାରୀ କିଲରକୁ ବାନ୍ଧିଛି ସ୍ପେଶାଲ ସ୍କ୍ୱାର୍ଡ ।

ଏହି ଦୁଇ ଜଣ ଯୁବକ ମିଠାଦୋକାନୀଙ୍କୁ ହତ୍ୟା କରିବା ପାଇଁ ୪୦ ହଜାର ଟଙ୍କା ଲେଖାଏଁ ସୁପାରୀ ନେଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୁଇ ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା ଏବଂ ବାଇକ୍ ଜବତ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ ।

ଅନ୍ୟପକ୍ଷରେ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ  ଦିଲୁର ପୁଅ ରାଜା କିଛଇ ଦିନ ତଳେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲା । ପୋଲିସ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।  ଏହି ହତ୍ୟାକାଣ୍ଡ ମାମଲାରେ ଆଉ କିଛି ଅଭିଯୁକ୍ତ ଫେରାର ଥିବା ବେଳେ ଆଜି ଏହି ହତ୍ୟାକାଣ୍ଡ ପାଇଁ ଦିଲୁଠାରୁ ସୁପାରୀ ନେଇଥିବା ୨ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍ । ତେବେ ଦିଲୁର ପୁଅ ରାଜା ରଚିଥିଲା ହତ୍ୟାକାଣ୍ଡର ଷଡଯନ୍ତ୍ର । ପୂର୍ବ ଶତ୍ରୁତାରୁ ମିଠା ଦୋକାନୀକୁ ଗୋଡାଇ ଗୋଡାଇ ହାଣିଥିଲେ ଦୁବୃର୍ତ୍ତ ।