କନକ ବ୍ୟୁରୋ: ବିବାହ ପାଇଁ ବିକ୍ରି ଅଭିଯୋଗ । ରାଜସ୍ଥାନରୁ ଉଦ୍ଧାର ହେଲେ ଓଡ଼ିଶାର ୨ ନାବାଳିକା। ହାତଗୋଡ଼ ବାନ୍ଧି ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଯୁବତୀଚାଲାଣ ରାକେଟରେ ୬ ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୁଲିସ।
ବଡ଼ କଥା ହେଉଛି ଉଦ୍ଧାର ନାବାଳିକାଙ୍କ ମଧ୍ୟରୁ ଜଣେ ୮ ମାସର ଗର୍ଭବତୀ ଅଛନ୍ତି। ଏକ ମୋବାଇଲ କଲ୍କୁ ଆଧାର କରି ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ଯୁବତୀଚାଲାଣ ରାକେଟର ପର୍ଦ୍ଦାଫାସ କରିଛି କୁତ୍ରା ପୁଲିସ। ଓଡ଼ିଶାର ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସୁନ୍ଦରଗଡ଼ ଜିଲ୍ଲାର ୬ ଜଣ ଓ ରାଜସ୍ଥାନର ୨ ଜଣଙ୍କୁ ଗିରଫ କରିଛି ପୁଲିସ।
ଗିରଫ ଦଲାଲଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଦିବ୍ୟାଙ୍ଗ ଅଛନ୍ତି । ଗତବର୍ଷ ଅକ୍ଟୋବର ମାସରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ନିଖୋଜ ହୋଇ ଯାଇଥିଲେ । ନିଖୋଜ ହେବାର ପ୍ରାୟ ୭ ମାସ ପରେ ଅର୍ଥାତ୍ ଗତ ମେ' ମାସରେ ନାବାଳିକାଜଣକ ଘରକୁ ଫୋନ କରି ମତେ ବଞ୍ଚାଅ ବୋଲି କହିଥିଲେ । ପରିବାର ଲୋକ ଏନେଇ କୁତ୍ରା ଥାନାକୁ ଯାଇ ଏତଲା ଦେଇଥିଲେ । ରାଜଗାଙ୍ଗପୁର ଏସ୍ଡିପିଓଙ୍କ ନେତୃତ୍ୱରେ କୁତ୍ରା ଥାନା ଅଧିକାରୀଙ୍କ ସମେତ ଏକ ୯ ଜଣିଆ ଟିମ୍ ଘଟଣାର ରାଜସ୍ଥାନର ବାରା ଜିଲ୍ଲାରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ନାବାଳି କାଜଣକ ୮ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। କୁତ୍ରା ପୁଲିସ୍ ସେହି ପାଖରୁ ରାୟଗଡ଼ା ଜିଲ୍ଲାର ଅନ୍ୟ ଜଣେ ନାବାଳିକାଙ୍କୁ ମଧ୍ୟ ଉଦ୍ଧାର କରିଛି। ଉଭୟ ନାବାଳିକାଙ୍କ ବୟସ ୧୬ ବର୍ଷ ହେବ। ସନ୍ତାନ ଜନ୍ମ ନହେବା ପର୍ୟ୍ୟନ୍ତ ସଂପୃକ୍ତ ଯୁବତୀମାନଙ୍କୁ ଏକପ୍ରକାର ବନ୍ଦୀ କରି ରଖାଯାଉଛି। ଦଲାଲମାନେ କୁତ୍ରା ଯୁବତୀ ତୀଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କାରେ ରାଜସ୍ଥାନର ରମେଶଚନ୍ଦ କୁସୱାହକୁ ବିକ୍ରି କରି ଦେଇଥିବା ପୁଲିସ ଆଗରେ ସ୍ଵୀକାର କରିଛନ୍ତି ।