କନକ ବ୍ୟୁରୋ: ପ୍ରତିଦିନ ମାନବିକତାକୁ ଦୋହଳାଇ ଦେଲା ଭଳି ଛବି ସାରା ଦେଶରୁ ସାମ୍ନାକୁ ଆସୁଛି । କେଉଁଠି ଶ୍ରମିକ ଚାଲୁଛି ଯେ ଚାଲୁଛି, ହେଲେ ବାଟ ସରୁନି । ପୁଣି କେଉଁଠି ଭୋକିଲା ମଣିଷ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଥିବା ଦୃଶ୍ୟ ସରକାରଙ୍କ ତମାମ ପ୍ରସ୍ତୁତିକୁ ପ୍ରଶ୍ନ କରୁଛି । ଏବେ ସମ୍ବଲପୁରରୁ ସାମ୍ନାକପ ଆସିଛି ଗଛମୂଳେ ସଂଗରୋଧ ଗୃହ । ଯାହାକୁ ଦେଖିବା ପରେ ଆପଣମାନେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ପ୍ରଶ୍ନ କରିବେ ନିଶ୍ଚୟ । ନିଜ ପଂଚାୟତ ସଂଗରୋଧ ଗୃହ ଥାଇ ବି ରହିବାକୁ ଜାଗା ମିଳିଲା ନାହିଁ ।

Advertisment

publive-image

ତେଣୁ ୪ ଦିନ ହେବ ଏମିତି ଗଛମୂଳେ ସଂଗରୋଧରେ ଅଛନ୍ତି ବାଲେଶ୍ୱର ଜଳେଶ୍ୱରରୁ ଫେରିଥିବା ଦୁଇ ଜଣ ଶ୍ରମିକ । ସମ୍ବଲପୁର ଜିଲ୍ଲା ଘେନୁପାଲି ପଂଚାୟତର ଏହି ୨ ଜଣ ଶ୍ରମିକ ଧାନ କାଟିବା ପାଇଁ ବାଲେଶ୍ୱର ଯାଇଥିଲେ । ତାଲାବନ୍ଦ ଯୋଗୁଁ କାମ ନଥିବାରୁ ଘରକୁ ଫେରିଛନ୍ତି ଶ୍ରମିକମାନେ । ହେଲେ ଜିଲ୍ଲା ବାହାରୁ ଫେରିଥିବାରୁ ପଂଚାୟତ ସଂଗରୋଧ କେନ୍ଦ୍ରରେ ରହିବା ପାଇଁ ଜାଗା ମିଳିଲା ନାହିଁ । ଘରେ ସଂଗରୋଧରେ ରହିବା ପାଇଁ କୁହାଯାଇଛି । ହେଲେ ଘରେ ସଂଗରୋଧରେ ରହିବା ପାଇଁ ବ୍ୟବସ୍ଥା ନଥିବାରୁ ଶ୍ରମିକ ଦୁଇ ଜଣ ଗଛମୂଳେ ରହୁଛନ୍ତି ।