ବ୍ୟବସ୍ଥାକୁ ଉପହାସ ଦାଦନ ଦୁଃଖ । ଘରକୁ ଆସିପାରିଲା ନାହିଁ ଗୋପାଳଙ୍କ ମୃତଦେହ, ଗଙ୍ଗା ମଳିକଙ୍କ ମୃତଦେହ ଆଣିବାକୁ ପରିବାରର ନିବେଦନ

110

କନକ ବ୍ୟୁରୋ : ଗୋଟିଏ ଦୁର୍ଘଟଣାରେ ଗୋଡ ପୋଡି ଯାଇ ପିଲା ବେଳୁ ଭିନ୍ନକ୍ଷମ । ୨୦ ବର୍ଷ ତଳେ ବାହା ହୋଇଥିଲେ । ସ୍ତ୍ରୀ, ଝିଅ ଓ ପୁଅକୁ ନେଇ ସଂସାର । ପିଲାମାନେ ବଡ ହେବା ପରେ ଘରର ଆବଶ୍ୟକତା ବଢିଛି, ରୋଜଗାର ନିଅଂଟ ପଡିଛି । ସେଇଥି ପାଇଁ ଶାରିରୀକ ଦୁରବସ୍ଥା ସତ୍ୱେ ଘରୁ ଗୋଡ କାଢ଼ି ସୁଦୁର ଗୋଆ ଯାଇଥିଲେ କାମ କରିବାକୁ । ଏମିତିରେ ତ ଭଲ ଲୋକଙ୍କୁ କାମ ମିଳୁନି ଭିନ୍ନକ୍ଷମଙ୍କୁ ପଚାରେ କିଏ । ତେଣୁ ବାଧ୍ୟ ହୋଇ ପାଣାଜିର ଏକ ହୋଟେଲର ବଗିଚାରେ କାମ କରି ଦୁଇ ପଇସା ରୋଜଗାର କରୁଥିଲେ । ନିଜେ ଚଳୁଥିଲେ ଓ ପରିବାର ପାଖକୁ ପଠାଉଥିଲେ । ହେଲେ ଏତକ ବି ଦଇବ ସହିଲା ନାହିଁ ।

କାନ୍ଦିବା ପାଇଁ ଆଉ ଶକ୍ତି ନାହିଁ । ଆଖିରୁ ଲୁହ ଶୁଖି ଗଲାଣି । ଦୁଃଖି ପରିବାରର ଦୁଃଖ ଆହୁରି ବଢାଇ ଦେଇଛି ଦୁର୍ଘଟଣା । ହୋଟେଲରେ କାମ କରି ଘରକୁ ଫେରିବା ବେଳେ ଗାଡି ଧକ୍କାରେ ଆଖି ବୁଝି ଦେଇଛନ୍ତି ଗୋପାଳ । ଶବ ବାଲେଶ୍ୱର ଆସିବା ପାଇଁ ଦରକାର ପଡୁଥିବା ୬୦-୭୦ ହଜାର ଟଙ୍କା ବି ଯୋଗାଡ ହୋଇପାରିଲାନି । ଗୋଆରେ ହିଁ ଅନ୍ତିମ ସଂସ୍କାର କରି ଦିଆଗଲା । ଗତ ଡିସେମ୍ବର ୬ରେ ଘରକୁ ଆସିଥିବା ଗୋପାଳଙ୍କ ମରଶରିରକୁ ବି ଶେଷ ଥର ପାଇଁ ଆଖି ପୁରେଇ ଦେଖି ପାରିଲାନି ପରିବାର । ସରବଣୀ ଗାଁ କନ୍ଦାକଟାରେ ଫାଟି ପଡୁଥିଲା ଆଉ ସେପଟେ ୧୮ଶହ ୫୦ କିଲୋମିଟର ଦୂରରେ ଜୁଇ ଜଳୁଥିଲା ।

ବେଡି ଉପରେ କୋରଡା ପରି ଗୋପାଳଙ୍କ ଦୁଃଖଦ ମୃତ୍ୟୁ ଏ ପରିବାରର ଅଂଟା ଭାଙ୍ଗି ଦେଇଛି । ପରିବାର କେମିିତି ଚଳିବ, ୧୩ ବର୍ଷର ପୁଅର ପାଠପଢା କେମିତି ବନ୍ଦ ହେବନି, ସେ ଚିନ୍ତା କରିବା ପୂର୍ବରୁ ଏବେ ବଡ ଚିନ୍ତା ଘାରିଛି ଗୋପାଳଙ୍କ ଶୁଦ୍ଧିକ୍ରିୟା କେମିତି ହେବ । ଭଗବାନ ସତରେ ବେଳେବେଳେ କାହିଁକି ଏତେ ନିଷ୍ଠୁର ହୋଇଯାଆନ୍ତି କେଜାଣି?

ସେପଟେ ଗଜପତିରୁ ଆସିଛି ଆଉ ଏକ ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁର ଖବର । ଦାଦନ ଖଟିବାକୁ ଗୋଆ ଯାଇଥିଲେ ସ୍ୱାମୀ । କାମ କରି ପିଲା ଛୁଆଙ୍କ ପାଇଁ ଦାନା ପଠାଇବା ଆଗରୁ ଶବ ପାଲଟିଗଲେ । ସ୍ୱାମୀଙ୍କ ଶବକୁ ଗାଁକୁ ଆଣିବା ପାଇଁ ଗୁହାରି କରିଛନ୍ତି ସ୍ତ୍ରୀ । ଏଭଳି ଦୁଃଖଦ ଖବର ଆସିଛି ଗଜପତି ମୋହନା ବ୍ଲକ ମଝିକିରିମ୍ବା ଗାଁରୁ । ନିଜ ଅଂଚଳରେ କାମ ନପାଇ ଚଳିତ ମାସ ୮ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ ମଝିକିରିମ୍ବା ଗାଁର ଗଙ୍ଗା ମଳିକ । ଯିବା ବାଟରେ ହଠାତ୍ ତାଙ୍କର ମାନସିକ ବିକ୍ରୁତି ଘଟିଥିବା ନେଇ ସାଥିରେ ଯାଉଥିବା ଲୋକ ଘରକୁ ଜଣାଇଥିଲେ । ପରେ ସେଠାରୁ ସେ କେଉଁଆଡେ ଚାଲି ଯାଇଥିଲେ । ବହୁ ଖୋଜାଖୋଜି ପରେ ଗୋଆର ଭାସ୍କୋ ଥାନା ଅନ୍ତର୍ଗତ ଏକ ପରିତ୍ୟକ୍ତ କୂଅରୁ ଗଙ୍ଗାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଙ୍ଗାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ କରୁଥିବା ବେଳେ ମୃତଦେହକୁ ଘରକୁ ଆଣିବା ପାଇଁ ସରକାରୀ ସହଯୋଗ ଲୋଡିଛନ୍ତି ଦାଦନ ଶ୍ରମିକଙ୍କ ପରିବାର ।