କନକ ବ୍ୟୁରୋ: ରାସ୍ତାରେ ଡରାଉଥିଲେ, ଏବେ ପୋଲିସକୁ ଡରୁଛନ୍ତି । ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇଥିବା କେବିଏନ ଗ୍ୟାଙ୍ଗ ଏବେ ପୋଲିସ୍ ଟାର୍ଗେଟରେ ଥିବା ବେଳେ ଗ୍ୟାଙ୍ଗ ସଦସ୍ୟଙ୍କ ମନରେ ଛନକା ପଶିଛି । ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛି ଚେଙ୍ଗ ଓରଫ ରାଜେଶ ବେହେରା ଓ ସନିଆ ଓରଫ ସନାତନ ବେହେରା । ଅନ୍ୟପଟେ ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟଙ୍କ ଘରେ ଚଢାଉ ଜାରି ରଖିଛି କମିଶନରେଟ ପୋଲିସ୍
ଆକ୍ସନ ମୋଡରେ ପୋଲିସ୍ , ଛାନିଆ ଅପରାଧୀ । ପୋଲିସ୍ ଭୟରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି କେବିଏନ ଗ୍ୟାଙ୍ଗର ଦୁଇ ସଦସ୍ୟ । ସୋମବାର ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ଚେଙ୍ଗ ଘରେ ପୋଲିସ୍ ପଶି ଖୋଳତାଡ଼ କରିବାର ଦିନକ ପରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଅଭିଯୁକ୍ତ । ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛି ଚେଙ୍ଗ ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ ସନାତନ ବେହେରା । ଜାମିନ ଆବେଦନ ଖାରଜ ପରେ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜକୁ ପଠାଇ ଦିଆଯାଇଛି । ପୋଲିସ୍ ଏମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ ଲକ୍ଷ୍ୟ ରଖିଛି ।
ରାସ୍ତା ଉପରେ ହତିଆର ଧରି ଭୟ ଖେଳାଉଥିବା ଏହି ଅପରାଧୀଙ୍କ ମନରେ ଏବେ ପଶିଛି କମିଶନରେଟ ପୋଲିସର ଭୟ । ଅନ୍ୟପଟେ ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟଙ୍କ ଘରେ ଚଢାଉ ଜାରି ରଖିଛି କମିଶନରେଟ ପୋଲିସ୍ । ଗ୍ୟାଙ୍ଗ ସଦସ୍ୟ ସଞ୍ଜୟ ଖୁଣ୍ଟିଆଙ୍କ ବ୍ରିଟ କଲୋନୀରେ ଥିବା ଘରେ ପୋଲିସ ଚଢଉ କରି କିଛି ମାରଣାସ୍ତ୍ର ଜବତ କରିଛି । ଭିଡିଓରେ ଥିବା ଯୁବକମାନଙ୍କୁ ଖୋଜି ଖୋଜି ଜଣକ ପରେ ଜଣଙ୍କୁ ଉଠାଇ ନେଉଛି କମିଶନରେଟ୍ ପୋଲିସ୍ । ୨୯ ଜଣଙ୍କ ମଧ୍ୟରୁ ଏଯାଏଁ ୭ ଜଣଙ୍କ ଗିରଫ ହୋଇଥିବା ବେଳେ ୨ ଆତ୍ମସମର୍ପଣ କରିଛନ୍ତି । ହେଲେ ଏବେ ବି ଗ୍ୟାଙ୍ଗର ମୁଖିଆ ବୁବୁର ମିଳୁନି ପତ୍ତା । ବୁବୁ ଓ ତାର ସହଯୋଗୀମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ୍ ।