କନକ ବ୍ୟୁରୋ: ନଡ୍ଡା ବନାମ ନବୀନ । ବିଜେଡି-ବିଜେପିର ପାୱାର ଶୋ । ବରମୁଣ୍ଡାରେ ବିଜେଡି, ଜନତା ମୈଦାନରେ ବିଜେପି । ଆସନ୍ତା ୨୯ ତାରିଖରେ ଦୁଲୁକିବ ଭୁବନେଶ୍ୱର । ଶକ୍ତି ପ୍ରଦର୍ଶନ କରିବେ ବିଜେଡି ଆଉ ବିଜେପି । ବିଜେପିର ଜାତୀୟ ସଭାପତି ଜେ.ପି.ନଡ୍ଡା ଓଡିଶା ଆସି ରାଜ୍ୟ ନେତୃବନ୍ଦଙ୍କ ସହ ଜନତା ମଇଦାନରେ କରିବେ ମାରାଥନ କାର୍ଯ୍ୟକ୍ରମ । ଆଉ ଏହାକୁ କାଉଣ୍ଟର କରିବାକୁ ବରମୁଣ୍ଡା ପଡିଆରେ ବିଜେଡି ବିଶାଳ ଆୟୋଜନ କରି ୨୦୨୪ର ବିଗୁଲ ବଜାଇବ ଦଳ ।
ବରମୁଣ୍ଡା ପଡିଆରେ ବିଜେଡିର ମେଗା ଶୋ । ଏକାଠି ହେବେ ସାଂସଦ, ବିଧାୟକ ଓ ଛାମୁଆ ସଙ୍ଗଠନ । ଦୁଇହଜାରରୁ କର୍ମକର୍ତ୍ତା ବୈଠକରେ ସାମିଲ ହେବାକୁ ଥିବା ବେଳେ ଦୁଇଦିନ ଧରି ଚାଲିବ ସଙ୍ଗଠନର ମାନସ ମନ୍ଥନ । ଜିଲ୍ଲା ପ୍ରତିନିଧି, ବ୍ଲକ ପ୍ରତିନିଧି ମଧ୍ୟ ଏଥିରେ ସାମିଲ ହେବେ । ପଦଯାତ୍ରା ପ୍ରସ୍ତୁତି ନେଇ ବାର୍ତ୍ତା ଦିଆଯିବାକୁ ଥିବା ବେଳେ ପ୍ରତି ୱାର୍ଡ,ପଞ୍ଚାୟତ ଓ ମୁନିସିପାଲଟିରେ ପଦଯାତ୍ରା କରିବ ଦଳ ।
ସେପଟେ ୨୯, ୩୦ରେ ଜନତା ମୈଦାନର ବିଜେପିର ଶକ୍ତି ପ୍ରଦର୍ଶନ । ନେତାଙ୍କୁ ନଡ୍ଡା ଦେବେ ବିଜୟ ମନ୍ତ୍ର । ଜନତା ମୈଦାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ନେତାଙ୍କ ଠାରୁ ଛାମୁଆ ସଙ୍ଗଠନର ନେତାଙ୍କ ସହ ଆଲୋଚନା କରିବେ ଜେ.ପି ନଡ୍ଡା । ୨୦୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି । ନେତାଙ୍କୁ ଦିଆଯିବ ନୂଆ ଟାର୍ଗେଟ ଆଉ ସରକାର ଗଢିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ଜେ.ପି ନଡ୍ଡା । ଆସନ୍ତା ୨୯ ତାରିଖରେ ରାଜ୍ୟର ଦୁଇ ପ୍ରମୁଖ ଦଳ ରାଜଧାନୀରେ ମୁହାଁମୁହିଁ ହେବେ । ଆଉ ୨୪ର ଲଢେଇ ପାଇଁ ବାର୍ତ୍ତା ଦେଇ ନିଜ ନିଜ କର୍ମୀଙ୍କ ଉତ୍ସାହ ବଢାଇବେ ।