କରୋନା ହେଲେ କରୋନା ଛାଡିବ ! ବରିଷ୍ଠ ଚିକିତ୍ସକ ଡାକ୍ତର ଜୟନ୍ତ ପଣ୍ଡା କହିଲେ ସଂକ୍ରମଣ ବଢ଼ିଲେ ଭଲ । ଲକ୍ଷଣ ନଥିବା ଲୋକଙ୍କୁ କାହିଁକି ରଖାଯିବ ସଙ୍ଗରୋଧରେ ? ପ୍ରଶ୍ନ ଉଠାଇଲେ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ

3,457

କନକ ବ୍ୟୁରୋ: ଯେଉଁ ଲୋକମାନଙ୍କ ଠାରେ କରୋନା ଲକ୍ଷଣ ନାହିଁ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିବା ଦରକାର ନାହିଁ । ଏଭଳି ମନ୍ତବ୍ୟ ଦେଇଛନ୍ତି, ଇନଷ୍ଟିଟ୍ୟୁଟ୍ ଅଫ୍ ଲାଇପ ସାଇନ୍ସର ନିର୍ଦ୍ଦେଶକ ଅଜୟ ପରିଡା । ସେ ଆହୁରି କହିଛନ୍ତି, ଯେଉଁମାନଙ୍କ ଠାରେ ଲକ୍ଷଣ ଅଛି ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯିବା ଦରକାର । ସେପଟେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ପରୋକ୍ଷରେ କହିଛନ୍ତି କରୋନା ସଂକ୍ରମଣ ଯେତେ ବଢିଲେ ଭଲ । ସଂକ୍ରମଣ ରୋକିବା ପାଇଁ ଯେତେବେଳେ ସାରା ବିଶ୍ୱ ଲଢେଇ କରୁଛି ସେତେବେଳେ ଜୟନ୍ତ ପଣ୍ଡାଙ୍କ ଏହି ବୟାନ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଜୀବନ ସତା ଉପରେ ଅଧ୍ୟୟନ କରୁଥିବା ଇନଷ୍ଟିଟ୍ୟୁଟ୍ ଅଫ୍ ଲାଇପ ସାଇନ୍ସର ନିର୍ଦ୍ଦେଶକ ଅଜୟ ପରିଡାଙ୍କ ଏହି ମନ୍ତବ୍ୟ କରୋନାକୁ ଏତେ ସାଂଘାତିକ ଦୃଷ୍ଟିରେ ନ ଦେଖିବା ପାଇଁ ଇଙ୍ଗିତ କରୁଛି । ଅଜୟ ପରିଡା କହୁଛନ୍ତି, ୟେ କରୋନା ସେତେ ସାଂଘାତିକ ନୁହେଁ ଏବଂ ଯେଉଁ ବ୍ୟକ୍ତିଙ୍କଠାରେ ଲକ୍ଷଣ ନାହିଁ ତାଙ୍କୁ କ୍ୱାରେଣ୍ଟାଇନ ସେଂଟର ବା ସଙ୍ଗରୋଧ କେନ୍ଦ୍ରରେ ରଖିବା ଦରକାର ନାହିଁ । ଏବେ ପ୍ରଶ୍ନ ଉଠୁଛି କରୋନାକୁ ନେଇ ଆମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସତର୍କତା ପରାମର୍ଶ ଓ ପଦକ୍ଷେପ ଅତ୍ୟଧିକ ହୋଇଯାଇଛି କି ?

ସଂକ୍ରମଣ ବ୍ୟାପିଲେ ଭୟ କରିବା ଅନୁଚିତ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ପରୋକ୍ଷରେ ଏହା ଭଲ । ଏହାଦ୍ୱାରା ସମୂହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିିବ । ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଯେ ସଂକ୍ରମଣ ବଢିଲେ ଭଲ । ଯେତେବେଳେ ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱରେ ଲଢେଇ ଜାରି ରହିଛି ଏବଂ ଏଥିପାଇଁ ଦେଶ ଓ ରାଜ୍ୟର ଅର୍ଥନୀତି ଭୁଷୁଡିବାକୁ ବସିଛି ସେତେବେଳେ ଏଭଳି ଯୁକ୍ତି ବାଢିଛନ୍ତି ବରିଷ୍ଠ ଚିକିତ୍ସକ ଡ ଜୟନ୍ତ ପଣ୍ଡା । ସେ କହ୍ିଛନ୍ତି, ଏହା ପଛରେ ଏକ ସତ କଥା ଲୁଚି ରହିଛି । ସେ ହେଉଛି, ଯେତେ ସଂକ୍ରମଣ ବଢିବ ଆମ ଭିତରେ ସମୂହ ରୋଗ ପ୍ରତିରୋଧକ ଶକ୍ତି ବଢିବ ।

ଆମେରିକା ଇଟାଲୀ ଭଳି ମାରାତ୍ମକ ନୁହେଁ ଓଡ଼ିଶାରେ କରୋନା । ଆମେ ଯେମିତି ଭାବିଥିଲୁ ସେତେ ବିପଜ୍ଜନକ ନୁହେଁ କରୋନା ବୋଲି ଜୟନ୍ତ ପଣ୍ଡା କହିଛନ୍ତି । ତେବେ କରୋନା ସଂକ୍ରମଣରୁ ବଂଚିବା ପାଇଁ ମାସ୍କ ବ୍ୟବହାର କରିବା ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ । ଏଥିରେ କୌଣସି ଦ୍ୱିମତ ନାହିଁ । କିନ୍ତୁ ଇନଷ୍ଟିଟ୍ୟୁଟ୍ ଅଫ୍ ଲାଇପ ସାଇନ୍ସର ନିର୍ଦ୍ଦେଶକ ଅଜୟ ପରିଡା ଓ ବରିଷ୍ଠ ଚିକିତ୍ସକ ଡ ଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ଚିନ୍ତା କରିବା ପାଇଁ ଖୋରାକ ଯୋଗାଇଛି ।

କରୋନା ହେଲେ କରୋନା ଛାଡିବ!

#କରୋନା_ହେଲେ_କରୋନା_ଛାଡିବ! ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଭଲ ବୋଲି କହିଲେ ଡାକ୍ତର ଜୟନ୍ତ ପଣ୍ଡା । ଜାଣନ୍ତୁ ଏହା ପଛର ବଡ କାରଣ କଣ? #KanakNews #Odisha #OdishaFightsCoronaVirus

Posted by Kanak News on Friday, 22 May 2020